ବିହାର ମହାମେଣ୍ଟର ଆସନ ଘୋଷଣା

କଂଗ୍ରେସକୁ ପସନ୍ଦର ଆସନ ମିଳିଲାନି, ବିବାଦ ଜାରି

ପାଟନା : ବିହାର ମହାମେଣ୍ଟର ଆସନ ବୁଝାମଣାକୁ ନେଇ ଯେଉଁ ଅସନ୍ତୋଷ ଲାଗି ରହିଥିଲା ତାହା ବଳବତ୍ତର ରହିଥିବା ବେଳେ ଆଜି ରାଜ୍ୟରେ ୪୦ ଲୋକସଭା ଆସନରୁ ୩୮ଟିରେ ମହାମେଣ୍ଟ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । କେବଳ ଶେଓହର (ଆରଜେଡି) ଏବଂ ମଧୁବନୀ (ବିକାଶଶୀଳ ଇନସାନ୍‌ ପାର୍ଟି) ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେବେ ମହାମେଣ୍ଟର ଚୂଡ଼ାନ୍ତ ଆସନ ଘୋଷଣାରେ କିଛି ପରିବର୍ତ୍ତନ ନାହିଁ। ଆରଜେଡି ୨୦ ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ କଂଗ୍ରେସ ୯ ଆସନରେ ଲଢ଼ିବ। ଦରଭଙ୍ଗା ଏବଂ ମଧୁବନୀକୁ ନେଇ କଂଗ୍ରେସ ଦଳର ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ଏହାକୁ ଆର୍‌ଜେଡି ଗୁରୁତ୍ବ ଦେଇନାହିଁ। ଏହାକୁ ନେଇ ମେଣ୍ଟ କନ୍ଦଳ ବଢ଼ିବାରେ ଲାଗିଛି । ସର୍ବଦା କଂଗ୍ରେସର ଫୋକସ୍‌ରେ ରହୁଥିବା ଦରଭଙ୍ଗା ଏଥର ହାତରୁ ଖସି ଯାଇଛି। କଂଗ୍ରେସ ପାଖରୁ ଆରଜେଡି ଦରଭଙ୍ଗା ଆସନ ନେଇଯାଇଥିବାରୁ ଏହାକୁ ନେଇ କର୍ମୀମାନେ ପ୍ରବଳ ପ୍ରତିବାଦ କରିଛନ୍ତି। ଦରଭଙ୍ଗାରେ ଆରଜେଡି ଅବଦୁଲ୍‌ ବରି ସିଦ୍ଦିକିଙ୍କୁ ପ୍ରାର୍ଥୀ କରିଛି। ସେହିପରି ମଧୁବନୀ ଆସନ ଭିଆଇପି ଦଳକୁ ମିଳିଥିବାବେଳେ ଏହି ଆସନରେ ପ୍ରାର୍ଥୀ ଘୋଷଣା ହୋଇ ନାହିଁ। ଆଜି ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଥିବାବେଳେ ଏବେ ବିହାର ମହାମେଣ୍ଟରେ ସବୁକିଛି ଠିକ୍‌ ଅଛି ବୋଲି ସେ କହିଛନ୍ତି। କିନ୍ତୁ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉପସ୍ଥିତ ନଥିବା ‌‌ଯୋଗୁଁ ଆଗକୁ ମାମଲା ଆହୁରି ଜଟିଳ ହେବ ବୋଲି କୁହାଯାଉଛି । ଅନ୍ୟପକ୍ଷେ କଂଗ୍ରେସକୁ ପାଟନା ସାହେବ ଆସନ ମିଳିଛି। ଏହି ଆସନରେ ଶତ୍ରୁ୍ଘ୍ନ ସିହ୍ନା ନିର୍ବାଚନ ଲଢ଼ିବେ‌ ବୋଲି ଦଳ ପକ୍ଷରୁ ସ୍ଥିର ହୋଇଛି।

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ପାଟଳିପୁତ୍ରରୁ ନିର୍ବାନଚ ଲଢ଼ିବେ ଏବଂ କଂଗ୍ରେସର ମୀରା କୁମାର ସାସାରାମ୍‌ରୁ ନିର୍ବାଚନ ଲଢ଼ିବେ। ଆରଜେଡି ପକ୍ଷରୁ ମଧ୍ୟ ଅନ୍ୟ ଜଣେ ପରିବାର ସଦସ୍ୟ ତଥା ତେଜପ୍ରତାପଙ୍କ ଶଶୁର ଚନ୍ଦ୍ରିକା ରାୟଙ୍କୁ ସରଣ ଆସନ ମିଳିଛି। ଅନ୍ୟପକ୍ଷେ କଂଗ୍ରେସ ପକ୍ଷରୁ କିସନଗଞ୍ଜ, କତିହାର, ପୁର୍ନିଆ, ସାସାରାମ୍‌, ମୁଙ୍ଗେର, ସୁପୌଲ, ସମସ୍ତିପୁରରେ ପ୍ରାର୍ଥୀ ‌ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର