ଜ୍ୟୋତିରାଦିତ୍ୟଙ୍କ ମନ୍ତବ୍ୟରୁ ଜଣାପଡ଼ୁଛି ସେ ଦଳକୁ ଫେରିବାକୁ ଇଚ୍ଛୁକ : କଂଗ୍ରେସ

ସିମଲା : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଉତ୍ସାହିତ ହୋଇପଡ଼ିଛି । ମଧ୍ୟପ୍ରଦେଶରୁ ସମସ୍ତଙ୍କୁ ସ୍ବାଗତ ବୋଲି ସିନ୍ଧିଆ କହିବା ପରେ ଏହା ତାଙ୍କର ଘରବାହୁଡ଼ାର ସଂକେତ ବୋଲି କଂଗ୍ରେସ କହିଛି ।

ଭାରତ ଯୋଡୋ ଯାତ୍ରା ବୁଧବାର ସକାଳେ ପଡୋଶୀ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ବର୍ଦଲି ଗ୍ରାମରେ ପ୍ରବେଶ କରିଛି ।

ନଭେମ୍ବର ୨୩ରେ ଏହି ପଦଯାତ୍ରା ବିଷୟରେ ଉଲ୍ଲେଖ କରି ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ, ମଧ୍ୟପ୍ରଦେଶରେ ସମସ୍ତଙ୍କୁ ସ୍ୱାଗତ କରାଯାଇଛି ।

ଏ ସଂପର୍କରେ କଂଗ୍ରେସ ମୁଖପାତ୍ର ତଥା ହିମାଚଳ ପ୍ରଦେଶ କଂଗ୍ରେସ କମିଟି (ଏଚପିସିସି)ର ପୂର୍ବତନ ସଭାପତି କୁଲଦୀପ ସିଂ ରାଠୋର କହିଛନ୍ତି, ଏହା ତାଙ୍କ ‘ଘର ୱାପସି’ (ଘର ବାହୁଡ଼ା)ର ସୂଚକ ହୋଇପାରେ । ସୂଚନାଯୋଗ୍ୟ ଯେ, ପୂର୍ବରୁ କଂଗ୍ରେସରେ ଥିବା ଜ୍ୟୋତିରାଦିତ୍ୟ ମାର୍ଚ୍ଚ ୨୦୨୦ରେ ଦଳ ଛାଡିଥିଲେ ।

ହିମାଚଳ ବିଧାନସଭା ନିର୍ବାଚନରେ ହୋଇଥିବା ରେକର୍ଡ ମତଦାନ ସରକାର ପରିବର୍ତ୍ତନର ସ୍ପଷ୍ଟ ସୂଚକ ବୋଲି ଦୃଢୋକ୍ତି ପ୍ରକାଶ କରି ସେ କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଉପରେ ଲୋକମାନେ ଅସନ୍ତୁଷ୍ଟ ଥିବାରୁ କଂଗ୍ରେସ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହିତ ହିମାଚଳ ପ୍ରଦେଶରେ ସରକାର ଗଠନ କରିବ।

 

 

ସମ୍ବନ୍ଧିତ ଖବର