କେମ୍ବ୍ରିଜ୍‌ ଆନାଲିଟିକାର ପୂର୍ବତନ ସିଇଓଙ୍କ ଅଫିସ୍‌ରେ କଂଗ୍ରେସ ପାର୍ଟି ପୋଷ୍ଟର୍‌

ନୂଆଦିଲ୍ଲୀ: କେମ୍ବ୍ରିଜ୍‌ ଆନାଲିଟିକା ସହ ସମ୍ପୃକ୍ତି ଯୋଗୁଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଏକ ଭିଡିଓ ପ୍ରସାରଣ ହୋଇଛି। ଏଥିରେ ଦେଖାଯାଉଛି କେମ୍ବ୍ରିଜ୍‌ ଆନାଲିଟିକା ପ୍ରତିଷ୍ଠାନରୁ ନିଲମ୍ବିତ ହୋଇଥିବା ସିଇଓ ଆଲେକ୍‌ଜାଣ୍ଡର ନିକ୍ସ୍‍ଙ୍କ ଅଫିସ୍‌ରେ କଂଗ୍ରେସ ପୋଷ୍ଟର ଲାଗିଛି।

ବିବିସି ସିରିଜ୍‌ ପାଇଁ ସାମ୍ବାଦିକ ତଥା ବ୍ଲଗର୍‌ ଜେମି ବାର୍ଟଲେଟ୍‌ ପ୍ରସ୍ତୁତ କରିଥିବା ଏକ ପ୍ରାମାଣିକ ଚଳଚ୍ଚିତ୍ରର ଅଂଶ ଭାବେ ଏହି ଭିଡିଓ ଗତବର୍ଷ ମୁକ୍ତି ଲାଭ କରିଥିଲା।

ଏହି ଭିଡିଓ କ୍ଲିପ୍‌ରେ ଦେଖାଯାଉଛି ବାର୍ଟଲେଟ୍‌ଙ୍କୁ ସ୍ୱାଗତ କରିବାକୁ ନିକ୍ସ୍‍ ଠିଆ ହୋଇଛନ୍ତି ଏବଂ ତାଙ୍କ ପଛ କାନ୍ଥରେ ଦେଖାଯାଉଛି- ସମସ୍ତଙ୍କ ପାଇଁ ବିକାଶ ସ୍ଲୋଗାନ୍‌ ସହ କଂଗ୍ରେସ ପାର୍ଟିର ସଙ୍କେତ ହାତ ଚିହ୍ନ।

ଡାଟା ଆନାଲିସିସ୍‌ ସଂସ୍ଥାନ ସହ ପାର୍ଟିର କୌଣସି ସମ୍ପର୍କ ନାହିଁ ବୋଲି କଂଗ୍ରେସ ଦାବି କରୁଥିବା ବେଳେ ଏହି କ୍ଲିପ୍‌ ସେ ଦାବି ଉପରେ ପ୍ରଶ୍ନ ଉଠାଉଛି।

କିନ୍ତୁ ପ୍ରାମାଣିକ ଚିତ୍ର ନିର୍ମାତା ବାର୍ଟଲେଟ୍‌ କହୁଛନ୍ତି ଯେ ନିକ୍ସ୍‍ଙ୍କ ଅଫିସ୍‌ରେ ଦିଶୁଥିବା କଂଗ୍ରେସ ଦଳର ପୋଷ୍ଟର୍‌ଟିକୁ ଫଟୋସପ୍‌ ଦ୍ୱାରା ଖଞ୍ଜାଯାଇଛି ବୋଲି ମୁଁ ବିଶ୍ୱାସ କରୁନାହିଁ।

ସେ କହନ୍ତି: ମୁଁ ନିଶ୍ଚିତ ଯେ ଏଇଟା ଫଟୋସପ୍‌ ଦ୍ୱାରା ପ୍ରସ୍ତୁତ ନୁହେଁ। ମୁଁ କୋଠରିରେ ଥିବାରୁ ମୋର ଏ କଥା ମନେ ଅଛି। ଆଉ ଗୋଟାଏ ଫଟୋ ଦେଖନ୍ତୁ, ନିକ୍ସ୍‌ଙ୍କ କାର୍ଯ୍ୟାଳୟର ସାମ୍ନା ଏବଂ ମଝିରେ ଲାଗିଛି। ଏହାକୁ ମୋ ପ୍ରାମାଣିକ ଚିତ୍ରରୁ ସ୍କ୍ରିନ୍‌ଗ୍ରାବ୍‌ କରାଯାଇଛି।

କଂଗ୍ରେସ ପାର୍ଟିର ପୋଷ୍ଟର୍‌ ଲାଗିଥିବା ନିକ୍ସ୍‍ଙ୍କ ଅଫିସ ଯେଉଁଠି ବାର୍ଟଲେଟ୍‌ ନିକ୍ସ୍‍ଙ୍କୁ ଭେଟିଥିଲେ ତାହାର ଏକ ଭିଡିଓ ମଧ୍ୟ ସେ ଟୁଇଟ୍‌ କରିଛନ୍ତି।
ଏହି ଖବର ଜଣାପଡ଼ିବା ପରେ ବରିଷ୍ଠ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରି ଟୁଇଟ୍‌ କରିଛନ୍ତି:-

‘‘କ୍ୟା ବାତ୍‌ ହୈ ରାହୁଳ ଗାନ୍ଧୀଜୀ… କଂଗ୍ରେସ୍‌ କା ହାତ୍‌, କେମ୍ବ୍ରିଜ୍‌ କେ ସାଥ୍‌!’’

ସମ୍ବନ୍ଧିତ ଖବର