ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଦ୍ବାରା ନିଯୁକ୍ତ କରାଯାଇଥିବା ଲୋକସଭା କ୍ଷେତ୍ର ସଂଯୋଜକଙ୍କ ଦୁଇଦିନିଆ ଦିଶା ନିର୍ଦ୍ଦେଶ ବୈଠକ ଆଜି ଏଆଇସିସି ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଦିନର ବୈଠକରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଗୋଆ, ଆଣ୍ଡାମାନ ନିକୋବାର ଦ୍ବୀପପୁଂଜ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଲକ୍ଷଦ୍ବୀପ ଓ ପୁଡୁଚେରୀ ଲୋକସଭା କ୍ଷେତ୍ରର ସଂଯୋଜକମାନେ ଯୋଗଦେଇଥିଲେ। ବୈଠକରେ କଂଗ୍ରେସ ସାଧାରଣ ସଂପାଦକ ‌କେ.ସି.ଭେନୁଗୋପାଳ ଓ ସଂବନ୍ଧିତ ରାଜ୍ୟର କଂଗ୍ରେସ ପ୍ରଭାରୀମାନେ ଯୋଗ ଦେଇଥିଲେ। ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ବି ବୈଠକରେ ଯୋଗଦେଇଥିଲେ। ହେଲେ ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ର ସଂଯୋଜକମାନଙ୍କୁ ମଧ୍ୟରୁ କେବଳ ୧୦ ଜଣ ସଂଯୋଜକ- ଯଜ୍ଞେଶ୍ବର ବାବୁ, ଜୟରାମ ପାଙ୍ଗି, ନକୁଳ ନାୟକ, ନିମାଇ ସରକାର, ସତ୍ୟଭୂଷଣ ସାହୁ, ବିଷ୍ଣୁ ବାରିକ, ଜିଆ-ଉଲ-ହକ, ଚିତ୍ତରଂଜନ ଷଡ଼ଙ୍ଗୀ, ହଳଧର କାର୍ଜି, ମାନସ ରଂଜନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Advertisment

ଯୋଗଦେଲେ ଓଡ଼ିଶାର ୧୦ ସଂଯୋଜକ, ୧୧ ଅନୁପସ୍ଥିତ
ଅନୁପସ୍ଥିତିକୁ ନେଇ ଖଡ଼ଗେ ଖପ୍ପା
କୈଫିୟତ ତଲବ କରାଯିବ, ବିଦା ବି ହୋଇପାରନ୍ତି

ଓଡିଶାର ଅଧିକାଂଶ ସଂଯୋଜକଙ୍କ ଅନୁପସ୍ଥିତିକୁ ‌ଦେଖି କଂଗ୍ରେସ ସଭାପତି ମାଲିକର୍ଜୁନ ଖାଡଗେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଥିବାର ସୁତ୍ରରୁ ଜଣାପଡିଛି। ଏପରିକି ଅନୁପସ୍ଥିତ ରହିଥିବା ସଂଯୋଜକମାନଙ୍କୁ କୈଫିୟତ ତଲବ କରାଯାଇ ସେମାନଙ୍କୁ ଦାୟିତ୍ବମୁକ୍ତ କରିବା ପାଇଁ ଖଡ଼ଗେ ଓଡ଼ିଶା ପ୍ରଭାରୀ ଡ.ଅଜୟ କୁମାରଙ୍କୁ କହିଥିବା ଜଣାପଡ଼ିଛି। ଆଗକୁ ଅନୁପସ୍ଥିତ ରହିଥିବା ସଂଯୋଜକମାନଙ୍କର ଅଡ଼ୁଆ ବଢ଼ିପ‌ାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ୟପକ୍ଷେ, ଉକ୍ତ ଓରିଏଣ୍ଟେସନ ବୈଠକରେ ଲୋକସଭା କ୍ଷେତ୍ର ସଂଯୋଜକମାନଙ୍କୁ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ କିଭଳି ମଜଭୁତ କରାଯାଇପାରିବ ସେ ନେଇ ଗୁରୁମନ୍ତ୍ର ଦିଆଯାଇଥିଲା। ପ୍ରାର୍ଥୀ ଚୟନରୁ ନିର୍ବାଚନ ଜିତିବା ନେଇ କେଉଁ ସବୁ ପଦକ୍ଷେପ ନିଆଯାଇପାରିବ ସେ ସଂପର୍କରେ ଅବଗତ କରାଯାଇଥିଲା। ଏଥି ସହିତ ବୁଥ୍‌ସ୍ତରରେ ରଣନୀତି ପ୍ରସ୍ତୁତ କରାଯାଇ ଦଳକୁ ଅଧିକ ଆସ୍ଥାଭାଜନ କରିବାକୁ ପଦକ୍ଷେପ ନେବାଲାଗି ବୈଠକରେ କୁହାଯାଇଥିଲା। ଆଗାମୀ ନିର୍ବାଚନ ପାଇଁ ସମୟ କମ୍‌ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ନିର୍ବାଚନ ଜିତିବା ଦିଗରେ ସକ୍ରିୟ ହୋଇ ଦାୟିତ୍ବ ସଂପାଦନ କରିବା ପାଇଁ କୁହାଯାଇଥିଲା। ଆସନ୍ତାକାଲି ଲୋକସଭା କ୍ଷେତ୍ର ସଂଯୋଜକମାନଙ୍କ ଉକ୍ତ ବୈଠକରେ ବଳକା ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ଲୋକସଭା କ୍ଷେତ୍ର ସଂଯୋଜକମାନେ ଯୋଗଦେବେ।