ନୂଆଦିଲ୍ଲୀ: ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦେଶର ପୂର୍ବରୁ ପଶ୍ଚିମକୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲ ଗାନ୍ଧିଙ୍କୁ ପ୍ରସ୍ତାବ ଦିଆଯାଇଛି। ଫଳରେ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାରର କେନ୍ଦ୍ରବିନ୍ଦୁ ଏହା ହୋଇପାରିବ। ଅରୁଣାଚଳରୁ ଏହି ଯାତ୍ରା ଆରମ୍ଭ କରି ଗୁଜରାଟରେ ଶେଷ କରିବା ପାଇଁ ଯୋଜନା ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ବିଜେପି ଉତ୍ସାହିତ ଅଛି। ଏଭଳି ସ୍ଥିତିରେ କଂଗ୍ରେସ କାର୍ଯ୍ୟକାରିଣୀରେ ଏକ ବାର୍ତ୍ତା ଦିଆଯାଇଛି ଯେ ୨୦୨୪ ନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ବୋଲି ଆଦୌ କୁହାଯାଇ ପାରିବ ନାହିଁ। ଜନବିରୋଧୀ ନରେନ୍ଦ୍ର ମୋଦୀ ସରକାରକୁ ହଟାଇବା ପାଇଁ ଇଣ୍ଡିଆ ମେଣ୍ଟ ଟ୍ରାକ୍ରେ ରହିଛି। କାର୍ଯ୍ୟକାରିଣୀ ବୈଠକରେ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ପ୍ରାରମ୍ଭିକ ମନ୍ତବ୍ୟରେ କହିଥିଲେ ଯେ ଦଳର କର୍ମୀମାନେ ଆବେଗର ସହିତ ପୂର୍ବରୁ ପଶ୍ଚିମକୁ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ପାଇଁ କହୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରା ପରେ ସେମାନେ ଏଭଳି ମତ ଦେଉଛନ୍ତି।
କାର୍ଯ୍ୟକାରିଣୀରେ ପ୍ରାୟ ସମସ୍ତ ନେତା ଏହି ମତ ସହ ସହମତି ପ୍ରକାଶ କରିଥିଲେ। କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ଯାତ୍ରାର ବିସ୍ତୃତ ରୂପରେଖ ଶୀଘ୍ର ପ୍ରସ୍ତୁତ ହେବ। ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଏହି ଯାତ୍ରା ଶେଷହେବା ଆବଶ୍ୟକ। ସମୟ ଅଭାବ କାରଣରୁ ଏହି ଯାତ୍ରାର ରୂପରେଖ ପ୍ରଥମ ତୁଳନାରେ ଭିନ୍ନ ହୋଇପାରେ। ଦୀର୍ଘଯାତ୍ରା ପାଇଁ ଗାଡ଼ିର ବ୍ୟବହାର କରାଯାଇ ପାରେ। ଉକ୍ତ ଯାତ୍ରା ଅରୁଣାଚଳ ପ୍ରଦେଶରୁ ଆରମ୍ଭ ହୋଇ ଆସାମ, ପଶ୍ଚିମବଙ୍ଗ, ବିହାର, ଉତ୍ତର ପ୍ରଦେଶ ଆଦିକୁ ଯିବ। ଜାନୁଆରିରେ ଏହି ଯାତ୍ରା ଆରମ୍ଭ ହୋଇ ମାର୍ଚ୍ଚରେ ଗୁଜରାଟରେ ପୂର୍ଣ୍ଣଛେଦ ପଡ଼ିବା ଯୋଜନା ରହିଛି।