କଂଗ୍ରେସ ସଭାପତି ନିର୍ବାଚନ: ତ୍ରିମୁଖୀ ଲଢ଼େଇରେ ଖଡ଼ଗେ-ଥରୁର-ତ୍ରିପାଠୀ

ଖଡ଼ଗେଙ୍କ ସମର୍ଥନରେ ଦିଗ୍‌ବିଜୟ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏହି ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବ। ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଶଶି ଥରୁର ଏବଂ କେଏନ୍‌ ତ୍ରିପାଠୀ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର ଦିନ ଶେଷ ମୁହୂର୍ତ୍ତରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷେ ଦିଗ୍‌ବିଜୟ ସିଂହ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଖଡ଼ଗେ ପ୍ରାର୍ଥୀ ହେବାପରେ ଦିଗବିଜୟ ତାଙ୍କୁ ସମର୍ଥନ ଜଣାଇ ନିର୍ବାଚନ ଦୌଡ଼ରୁ ଓହରି ଯାଇଛନ୍ତି।

ଦିଗ୍‌ବିଜୟ କହିଛନ୍ତି, ବରିଷ୍ଠ ନେତା ଖଡ଼ଗେଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରି ମୁଁ ଏହି ନିର୍ବାଚନରୁ ଓହରିଯାଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଦିଗ୍‌ବିଜୟ ସିଂହ, ପ୍ରମୋଦ ତିୱାରୀ, ପିଏଲ ପୁନିଆ, ଏକେ ଆଣ୍ଟୋନି, ପୱନ କୁମାର ବନସଲ ଏବଂ ମୁକୁଲ ୱାସନିକଙ୍କ ସମେତ ୩୦ରୁ ଅଧିକ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିଛନ୍ତି। ଜି-୨୩ ‌ନେତା ଆନନ୍ଦ ଶର୍ମା ଏବଂ ମନୀଷ ତିୱାରୀ ମଧ୍ୟ ଖଡ଼ଗେଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିଛନ୍ତି। ଖଡ଼ଗେ ଦଳରେ ସବୁଠୁ ଅଭିଜ୍ଞ ବ୍ୟକ୍ତି ଏବଂ ସେ ଜଣେ ଦଳିତ ନେତା । କଂଗ୍ରେସ ନେତା ଶଶି ଥରୁର ଏବଂ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍‌ ତ୍ରିପାଠୀ ମଧ୍ୟ ଶୁକ୍ରବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଗାନ୍ଧି ପରିବାରରୁ କେହି ବି ଏଆଇସିସି ମୁଖ୍ୟାଳୟରେ ଉପସ୍ଥିତ ନଥିଲେ।

ପ୍ରାର୍ଥିପତ୍ର ଦାଖଲ କରିବାପରେ ଖଡ଼ଗେ କହିଛନ୍ତି, ପିଲାଦିନୁ ମୁଁ କଂଗ୍ରେସର ବିଚାରଧାରା ସହ ସଂପୃକ୍ତ। ଅଷ୍ଟମ , ନବମ ଶ୍ରେଣୀରେ ପଢ଼ିବା ସମୟରେ ମୁଁ ଗାନ୍ଧି, ନେହରୁ ପରିବାର ପାଇଁ ପ୍ରଚାର କରୁଥିଲି। ଆଜି ମୁଁ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ଏହା ମୋ ପାଇଁ ଗୌରବର ମୁହୂର୍ତ୍ତ ବୋଲି ଖଡ଼ଗେ କହିଛନ୍ତି। ଅନ୍ୟପକ୍ଷେ ଥରୁର ତାଙ୍କ ନିର୍ବାଚନ ପ୍ରତିଦ୍ବନ୍ଦ୍ବୀ ଖଡ଼ଗେଙ୍କୁ ଦଳର ‘ଭୀଷ୍ମ ପିତାମହ’ ବୋଲି କହିଛନ୍ତି। ପ୍ରାର୍ଥିପତ୍ର ଦାଖଲ କରି ଥରୁର କହିଛନ୍ତି, ଏକ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ନିଜର ନେତା ବାଛୁଥିବା କଂଗ୍ରେସ ଦଳରେ କାମ କରିବା ସୌଭାଗ୍ୟ।

କଂଗ୍ରେସ ସଭାପତି ନିର୍ବାଚନରେ ଗାନ୍ଧି ପରିବାରର ନିରପେକ୍ଷ ଭୂମିକା ରହିବ ବୋଲି ସୋନିଆ ଗାନ୍ଧି ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ବାସ୍ତବରେ ଖଡ଼ଗେଙ୍କ ପ୍ରତି ଗାନ୍ଧି ପରିବାରର ପୂର୍ଣ୍ଣ ସମର୍ଥନ ରହିଥିବା କୁହାଯାଉଛି। ଖଡ଼ଗେଙ୍କ ପ୍ରତି ସମର୍ଥନ ଅଧିକ ରହିଥିବାରୁ ସେ ହିଁ କଂଗ୍ରେସ ସଭାପତି ନିର୍ବାଚିତ ହେବା ସଂଭାବନା ଅଧିକ ରହିଛି। କଂଗ୍ରେସ ନେତୃବୃନ୍ଦ ଖଡ଼ଗେ ନିର୍ବାଚନ ଲଢ଼ିବା ଚାହାନ୍ତି ବୋଲି ଗତକାଲି ବିଳମ୍ବିତ ରାତିରେ ଏକ ବୈଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ କହିଥିଲେ । ଜି-୨୩ ଗୋଷ୍ଠୀର ଜଣେ ପ୍ରମୁଖ ସଦସ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦା ମଧ୍ୟ ଖଡ଼ଗେଙ୍କ ପ୍ରାର୍ଥିତ୍ବକୁ ସମର୍ଥନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସ ଦଳକୁ ଜଣେ ଅଣଗାନ୍ଧି ସଭାପତି ମିଳିବାକୁ ଯାଉଛି।

ସମ୍ବନ୍ଧିତ ଖବର