ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାର ଦିନକ ପରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଆଜି ରାଜ୍ୟସଭାର ବିରୋଧୀ ଦଳ ନେତାଭାବେ ଇସ୍ତଫା ଦେଇଛନ୍ତି। ଦଳର ‘ଜଣେ ବ୍ୟକ୍ତି ଗୋଟିଏ ପଦବି’ ନୀତିକୁ ସମ୍ମାନ ଦେଇ ଖଡ଼ଗେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପାଖକୁ ତାଙ୍କ ଇସ୍ତଫାପତ୍ର ପଠାଇଛନ୍ତି। ଖଡ଼ଗେଙ୍କ ସ୍ଥାନରେ ପି ଚିଦମ୍ବରମ ଏବଂ ଦିଗ୍‌ବିଜୟ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ନେତା ହୋଇପାରନ୍ତି। ଖଡ଼ଗେ ଆଜି ଦିଲ୍ଲୀ ସ୍ଥିତ ‌କେରଳ ହାଉସ୍‌ରେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କୁ ଭେଟିଛନ୍ତି। ଉଲ୍ଲେଖ‌ଯୋଗ୍ୟ, ଖଡ଼ଗେ କଂଗ୍ରେସ ଦଳର ସଭାପତି ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି। ଖଡ଼ଗେଙ୍କ ପ୍ରତି ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଅଛି। ଗାନ୍ଧି ପରିବାର ମଧ୍ୟ ଖଡ଼ଗେଙ୍କୁ ଅ‌ଘୋଷିତ ସମର୍ଥନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ କରୁଛି। ପ୍ରଥମ ଥର ପାଇଁ ଦଳକୁ ଜଣେ ଅଣ ଗାନ୍ଧି ସଭାପତି ମିଳିବେ। ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଆସିବ।

Advertisment

କେଏନ୍‌ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ

publive-image

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଲଢ଼େଇ ହେବ। ତୃତୀୟ ପ୍ରତିଯୋଗୀ ତଥା ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍‌ ତ୍ରିପାଠୀଙ୍କ ନାମାଙ୍କନ ଆଜି ରଦ୍ଦ ହୋଇଯାଇଛି। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ କଂଗ୍ରେସ ନେତା ମଧୁସୁଦନ ମିସ୍ତ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରାର୍ଥୀମାନଙ୍କ ଦ୍ବାରା ଦାଖଲ ହୋଇଥିବା ଫର୍ମକୁ ଯାଞ୍ଚ କରାଯାଇଛି ଏବଂ ମୋଟ୍‌ ୨୦ଟି ଫର୍ମ ଗ୍ରହଣ କରାଯାଇଛି। ସେଥି ମଧ୍ୟରୁ ୪ଟି ଫର୍ମ ରଦ୍ଦ ହୋଇଯାଇଛି।

ଥରୁର ଏବଂ ଖଡ଼ଗେଙ୍କ ମଧ୍ୟରେ ଲଢ଼େଇ
ପରିବର୍ତ୍ତନ ଚାହୁଥିଲେ ମୋତେ ସମର୍ଥନ କର: ଥରୁର

ଝାଡ଼ଖଣ୍ଡର ପ୍ରାର୍ଥୀଙ୍କ ଫର୍ମରେ ତାଙ୍କର ଜଣେ ସମର୍ଥକଙ୍କ ଦସ୍ତଖତ ମେଳ ଖାଉନଥିଲା ଏବଂ ଅନ୍ୟ ଜ‌ଣଙ୍କ ଦସ୍ତଖତ ଦୁଇ ଥର ହୋଇଥିଲା। ତେଣୁ ତାଙ୍କ ଫର୍ମକୁ ରଦ୍ଦ କରାଯାଇଛି। ମିସ୍ତ୍ରୀ ଆଜି ଏନେଇ ଘୋଷଣା କରିବା ପରେ ଶଶି ଥରୁର କହିଛନ୍ତି, ଏହି ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ବାରା ଦଳ ଏବଂ ଆମର ସମସ୍ତ ସହକର୍ମୀ ଉପକୃତ ହେବେ। ଦଳୀୟ କର୍ମୀମାନେ କାହାକୁ ବାଛିବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୁଁ କହିବାକୁ ଚାହୁଛି, ଯଦି ଆପଣ ଦଳର କାର୍ଯ୍ୟରେ ସନ୍ତୁଷ୍ଟ ଅଛନ୍ତି ତେବେ ଖଡ଼ଗେଙ୍କୁ ଭୋଟ୍‌ ଦିଅନ୍ତୁ। ଯଦି ଦଳରେ ପରିବର୍ତ୍ତନ ଓ ସଂସ୍କାର ଚାହୁଛନ୍ତି ତେବେ ମତେ ଭୋଟ ଦିଅନ୍ତୁ ବୋଲି ଥରୁର କହିଛନ୍ତି।