କଂଗ୍ରେସ ସଭାପତି ନିର୍ବାଚନ: ଗେହଲଟ ଦ୍ବନ୍ଦ୍ବରେ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ନାରାଜ

ବିଧାୟକଙ୍କ ସହ ଜରୁରି ବୈଠକ, ଜି‌ତେନ୍ଦ୍ର ପ୍ରସାଦଙ୍କ ଦଶା ଭୋଗିପାରନ୍ତି ଥରୁର୍‌

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନ ନେଇ ଆଜି ରାଜସ୍ଥାନ ରାଜନୀତି ହଠାତ ଉଷ୍ମ ହୋଇଉଠିଛି। ସୋନିଆ ଗାନ୍ଧିଙ୍କ ବିଶ୍ବସ୍ତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦଳ ସଭାପତି ନିର୍ବାଚନ ପାଇଁ ଆଗ ଧାଡ଼ିରେ ଅଛନ୍ତି। ତେବେ ଗେହଲଟ ଦଳରେ ତାଙ୍କର ଘୋର ବିରୋଧୀ ସଚିନ ପାଲଇଟ୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ସଭାପତି ନିର୍ବାଚନ ଲଢ଼ିବା ନିମନ୍ତେ ପ୍ରସ୍ତୁତ ନଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ରାହୁଲ ଗାନ୍ଧି ହିଁ ପୁଣି ଥରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଫେରି ଆସିବାପାଇଁ ସେ ଚାହିଛନ୍ତି। ଗେହଲଟ ଅକ୍ଟୋବର ୧୭ ନିର୍ବାଚନ ପାଇଁ ଆସନ୍ତା ସୋମବାର ଦିନ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଥିଲେ ମଧ୍ୟ ଦୁଇ ଦିନ ପରେ ହିଁ ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଗେହଲଟ ଦିଲ୍ଲୀ ଯିବା ପୂର୍ବରୁ ଆଜି ରାତିରେ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବ ଉପମୁଖ୍ୟମନ୍ତ୍ର ସଚିନ ପାଇଲଟ ଏବେ କେରଳ ଗସ୍ତରେ ଅଛନ୍ତି। ଗେହଲଟ ପାଇଲଟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁନଥିବାରୁ ଦଳରେ ଛକାପଂଝା ବଢ଼ିଯାଇଛି। ଯଦି ଗେହଲଟ ଜାତୀୟ ରାଜନୀତିକୁ ଆସିବେ ତେବେ ତାଙ୍କର ଜଣେ ବିଶ୍ବସ୍ତଙ୍କୁ ହିଁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରାଇବାକୁ ଚାହୁଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନରେ ଦଳ ଦୁଇଫାଳ ହୋଇଯିବା ଆଶଙ୍କା ରହିଛି। ଆସନ୍ତାକାଲି ଗେହଲଟ ଦିଲ୍ଲୀ ଗସ୍ତ କରୁଥିବା ବେଳେ ପାଇଲଟ୍‌ ମଧ୍ୟ କେରଳରୁ ଆସି ଦିଲ୍ଲୀ ପହଞ୍ଚିବେ ବୋଲି ଜଣାପଡ଼ିଛି ।

ଜି‌ତେନ୍ଦ୍ର ପ୍ରସାଦଙ୍କ ଦଶା ଭୋଗିପାରନ୍ତି ଥରୁର୍‌

ତିରୁଅନନ୍ତପୁରମ୍‌ : କଂଗ୍ରେସ ନେତା ଶଶି ଥରୁର କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବା ନିଷ୍ପତ୍ତିରେ କେରଳର କଂଗ୍ରେସ ସାଂସଦମାନେ ଖୁସି ନାହାନ୍ତି। ଜଣେ ବରିଷ୍ଠ ନେତା କହିଛନ୍ତି , ଏହା ଥରୁରଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ଥରୁରଙ୍କର ୨ ସହକର୍ମୀ କୋଦିକୁନ୍ନିଲ ସୁରେଶ ଏବଂ କେ ମୁରଲୀଧରନ ଥରୁରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଭୟ ସାଂସଦ ସ୍ପଷ୍ଟ କରି ଦେଇଛନ୍ତି ଯେ ରାଜ୍ୟ କଂଗ୍ରେସ କେବଳ ରାହୁଲ ଗାନ୍ଧିଙ୍କୁ ସଭାପତି ଭାବେ ଚାହେ। ଯଦି ରାହୁଲ ଏଥିପାଇଁ ରାଜି ନହେବେ ତେବେ ଏଆଇସିସି ପାଇଁ ଗ୍ରହଣୀୟ ଜଣେ ବ୍ୟକ୍ତିଙ୍କୁ ତଥା ଅଧିକାଂଶ ନେତା ଏବଂ କର୍ମୀ ଯାହାକୁ ସମର୍ଥନ କରିବେ ତାଙ୍କୁ ସଭାପତି କରାଯିବ। ଅନ୍ୟପକ୍ଷେ ଯଦି ଗାନ୍ଧି ପରିବାର ଏବଂ ଅଧିକାଂଶ ନେତା ଗେହଲଟଙ୍କୁ ସମର୍ଥନ କରିବେ ତେବେ ଥରୁର ଜିତେନ୍ଦ୍ର ପ୍ରସାଦଙ୍କ ପରି ସମଦଶା ଭୋଗିପାରନ୍ତି। ଶେଷ ଥର ପାଇଁ ୨୦୦୦ ନଭେମ୍ବରରେ କଂଗ୍ରେସ ସଭାପତି ନିର୍ବାଚନ ହୋଇଥିଲା। ଜିତେନ୍ଦ୍ର ପ୍ରସାଦ ୨୦୦୦ରେ ସୋନିଆଙ୍କଠାରୁ ହାରି ଯାଇଥିଲେ। ସୋନିଆଙ୍କୁ ୭୫୪୨ ଭୋଟ୍‌ ମିଳିଥିବା ବେଳେ ପ୍ରସାଦଙ୍କୁ ମାତ୍ର ୯୪ଟି ଭୋଟ୍‌ ମିଳିଥିଲା। ତେଣୁ ଜିତେନ୍ଦ୍ର ପ୍ରସାଦଙ୍କ ପରି ଥରୁର ବି ସମଦଶା ଭୋଗିପାରନ୍ତି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ସୋନିଆ ୧୯୯୮ରୁ କଂଗ୍ରେସ ସଭାପତି ଅଛନ୍ତି। କେବଳ ୨ ବର୍ଷ ପାଇଁ ତଥା ୨୦୧୭ରୁ ୨୦୧୯ ପର୍ଯ୍ୟନ୍ତ ସେ ସଭାପତି ଦାୟିତ୍ବରେ ନଥିଲେ। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୨୪ରୁ ୩୦ ମଧ୍ୟ‌ରେ ପ୍ରାର୍ଥିପତ୍ର ଦାଖଲ ହେବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯‌ରେ ଫଳାଫଳ ପ୍ରକାଶ ପାଇବ।

ଗାନ୍ଧି ପରିବାର ନିରପେକ୍ଷ ଭୂମିକା ନିର୍ବାହ କରିବେ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ କଂଗ୍ରେସ ସଭାପତି ନିର୍ବାଚନ। ଦଳୀୟ ନେତାମାନେ ଏଆଇସିସି (ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି)ର ୮୮ ତମ ସଭାପତିଙ୍କୁ ବାଛିବେ। ପ୍ରାୟ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ପରେ କଂଗ୍ରେସ ସଭାପତି ନିର୍ବାଚନ ହେବ। ଶଶି ଥରୁର୍‌ ଏବଂ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଚାଲିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଗାନ୍ଧି ପରିବାର କାହାକୁ ସମର୍ଥନ ଦେବେ। କାରଣ ଯେଉଁ ପ୍ରାର୍ଥୀଙ୍କ ଉପରେ ଗାନ୍ଧି ପରିବାରର ସମର୍ଥନ ରହିବ ସେ ନିର୍ବାଚନ ଜିତିବା ନିଶ୍ଚିତ। ଇତି ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦଳୀୟ ନେତାମାନଙ୍କୁ କହିଛନ୍ତି, ଆଭ୍ୟନ୍ତରୀଣ ନିର୍ବାଚନ ଦ୍ବାରା ସଂଗଠନସୁଦୃଢ଼ ହେବ। ତେବେ ନିର୍ବାଚନ ପ୍ରକ୍ରିୟାରେ ସୋନିଆ ନିରପେକ୍ଷ ଭୂମିକା ନିର୍ବା‌ହ କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। ସୋନିଆଙ୍କ କଥାରୁ ଆଉ ଏକ କଥା ବି ସ୍ପଷ୍ଟ ହୋଇଯାଇଛି ଯେ ରାହୁଲ ଗାନ୍ଧି ଆଉ ଦଳର ମୁଖ୍ୟ ଭାବେ ପଦଭାର ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ରାହୁଲ କଂ‌ଗ୍ରେସ ସଭାପତି ରହିବାପାଇଁ ରାଜ୍ୟ କଂଗ୍ରେସର ଦାବି ବଢ଼ୁଥିଲେ ମଧ୍ୟ ସେ ନିଜେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନିର୍ବାଚନକୁ ନେଇ ସୋନିଆ ଖୁସି ଅଛନ୍ତି ଏବଂ ନିର୍ବାଚନରେ ସେ ନିରପେକ୍ଷ ଭୂମିକା ନିର୍ବାହ କରିବେ ବୋଲି କହିଛନ୍ତି। ନିର୍ବାଚନ ଦ୍ବାରା ଦଳ ଅଧିକ ସୁଦୃଢ଼ ହେବ ବୋଲି ସୋନିଆ କହିଛନ୍ତି।

ସମ୍ବନ୍ଧିତ ଖବର