କଂଗ୍ରେସ ସଭାପତି ନିର୍ବାଚନ: ଲଢ଼ିବେନି ରାହୁଲ, ଗେହଲଟଙ୍କ ଶେଷ ଚେଷ୍ଟା ବିଫଳ

୨୪ ବର୍ଷ ପରେ ମିଳିବ ଅଣଗାନ୍ଧି ସଭାପତି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶୁକ୍ରବାର ଦିନ ସ୍ପଷ୍ଟ ଦେଇଛନ୍ତି । ଏହା ସହିତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କୁ ସଭାପତି ନିର୍ବାଚନ ଲଢ଼ିବାପାଇଁ ମନାଇବାକୁ ଯେଉଁ ଶେଷ ଚେଷ୍ଟା କରିଥିଲେ ସେଥିରେ ସେ ବିଫଳ ହୋଇଥିବା ଜଣାପଡ଼ିଛି। ଗେହଲଟ ଶୁକ୍ରବାର ଦିନ କେରଳରେ ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ପୂର୍ବରୁ ମୁଁ କହିଥିଲି ‌ଯେ ରାହୁଲଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାପାଇଁ ଅନୁରୋଧ କରିବି। କିନ୍ତୁ ରାହୁଲ ଏଥିପାଇଁ ମନା କରିଦେଇଛନ୍ତି। ରାହୁଲ କହିଛନ୍ତି, ବିନା ପଦବିରେ ସେ ଦଳ ପାଇଁ କାମ କରିବେ।

ଅନ୍ୟପ‌କ୍ଷେ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ବୋଲି ଆଜି ସ୍ପଷ୍ଟ କରିଛନ୍ତି। ଦଳକୁ ପୂରା ଦେଶରେ ସୁଦୃଢ଼ କରିବାକୁ ସେ ଅହରହ ପ୍ରୟାସ କରିବେ ବୋଲି କହିଛନ୍ତି। ଯଦି ସେ କଂଗ୍ରେସ ସଭାପତି ନିର୍ବାଚିତ ହୁଅନ୍ତି ତେବେ କଂଗ୍ରେସ ସାଧାରଣ ସଚିବ ଅଜୟ ମାକେନ ଏବଂ ଦଳର ଅନ୍ତରୀଣ ଅଧ୍ୟକ୍ଷା‌ ସୋନିଆ ଗାନ୍ଧି ପରବର୍ତ୍ତୀ ନିଷ୍ପତ୍ତି ନେବେ ଏବଂ ସେହି ଆଧାରରେ ସେ ତାଙ୍କ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ଏବଂ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା ହେବ।

୨୪ ବର୍ଷ ପରେ ମିଳିବ ଅଣଗାନ୍ଧି ସଭାପତି

ନୂଆଦିଲ୍ଲୀ : ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଜଣେ ଅଣଗାନ୍ଧି ସଭାପତି ମିଳିବାକୁ ଯାଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏହା ସ୍ପଷ୍ଟ କରିଦେଇଛନ୍ତି। ଗାନ୍ଧି ପରିବାରରୁ କେହି ବି ସଭାପତି ନିର୍ବ‌ାଚନ ଲଢ଼ିବେନି ବୋଲି ରାହୁଲ କହିବାପରେ ଜଣେ ଅଣଗାନ୍ଧି ହିଁ ଦଳର ସଭାପତି ହେବାନେଇ ସ୍ପଷ୍ଟ ହୋଇଯାଇଛି। ୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବେ। ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ। ବଂଶବାଦ ରାଜନୀତି ନେଇ ବିଜେପି ଦ୍ବାରା ସବୁବେଳେ ସମ‌ାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯଦି କଂଗ୍ରେସ ସଭାପତି ହୁଅନ୍ତି ତେବେ ଉତ୍ତର ଭାରତରେ କଂଗ୍ରେସ ଅଧିକ ସୁଦୃଢ଼ ହେବ। ଆଗକୁ ୬ଟି ପ୍ରମୁଖ ରାଜ୍ୟରେ ନିର୍ବାଚନ ଥିବା ବେଳେ ସେଠ‌ାରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେବ।

ସମ୍ବନ୍ଧିତ ଖବର