କଂଗ୍ରେସ ସଭାପତି ନିର୍ବାଚନ: ବିଦ୍ରୋହ ସତ୍ତ୍ବେ ଗେହଲଟ ଦୌଡ଼ରେ, ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ଥରୁର

କମଳନାଥ, ୱାସନିକ, ଖଡ଼ଗେ ସମ୍ଭାବ୍ୟ ପ୍ରାର୍ଥୀ

ନୂଆଦିଲ୍ଲୀ : ରାଜସ୍ଥାନରେ ଅଚାନକ ଦଳ ପାଇଁ ସଙ୍କଟ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାଦ୍‌ ପଡ଼ିନାହାନ୍ତି। ‌ଗେହଲଟ ନିର୍ବା‌ଚନ ଲଢ଼ିବେ ଏବଂ ତାଙ୍କ ବିରୋଧରେ କଂଗ୍ରେସ ହାଇକମାଣ୍ଡ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି । ତେବେ ଗେହଲଟଙ୍କର ୯୨ ଜଣ ବିଶ୍ବସ୍ତ ବିଧା‌ୟକ ଯେଉଁ ବିଦ୍ରୋହ କରିଛନ୍ତି ସେଥିରେ ଦଳୀୟ ନେତୃବୃନ୍ଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗେହଲଟଙ୍କୁ ଏହାର ଫଳ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଥିବା ବେଳେ ଆଜି ଗେହଲଟ ଏ ନେଇ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧିଙ୍କୁ ସଫେଇ ଦେଇଛନ୍ତି।

ଗେହଲଟ ଏବଂ ସାଂସଦ ଶଶି ଥରୁରଙ୍କୁ ବାଦଦେଲେ ଅନ୍ୟ କେତେଜଣ ବରିଷ୍ଠ ନେତା ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଅଛନ୍ତି ଏବଂ ସେମାନେ ହେଉଛନ୍ତି କମଳନାଥ, ମୁକୁଲ ୱାସନିକ, ମଲ୍ଲିକାର୍ଜୁନ ଖଡ଼ଗେ। ଅଶୋକ ଗେହଲଟ ଆଜି ସୋନିଆ ଗାନ୍ଧିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ରବିବାରର ହାଇ ଡ୍ରାମା ପରେ ଗେହଲଟ ପ୍ରଥମ ଥର ସୋନିଆଙ୍କ ସହ କଥା ହୋଇ ରାଜ୍ୟରେ ବିଧାୟକଙ୍କ ଅସନ୍ତୋଷର କାରଣ ବାବଦରେ ଆଲୋଚନା କରିଛନ୍ତି। ଗେହଲଟ କହିଛନ୍ତି, ଦଳର ଶୀର୍ଷ ନେତୃତ୍ବକୁ ସେ କେବେ ବି ଚ୍ୟାଲେଞ୍ଜ କରିବେନାହିଁ। ତେବେ ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ରାଜସ୍ଥାନ ବିଧାୟକମାନେ ବିଦ୍ରୋହ କରି ଦଳକୁ ଯେଭଳି ଲଜ୍ଜିତ କରିଛନ୍ତି କଂଗ୍ରେସ ନେତୃବୃନ୍ଦ ସେଥିପାଇଁ ଗେହଲଟଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି। ଗେହଲଟଙ୍କ ସହ ଘନିଷ୍ଠ ଥିବା ୩ ଜଣ ମନ୍ତ୍ରୀ ବିଦ୍ରୋହ ପାଇଁ ସବୁ ଯୋଜନା କରିଥିଲେ ସୁଦ୍ଧା ଗେହଲଟ କହିଛନ୍ତି, ଏହି ଘଟଣାରେ ତାଙ୍କର କିଛି ସମ୍ପୃକ୍ତି ନାହିଁ। ତେବେ ଗେହଲଟଙ୍କ ସଫେଇକୁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ସହଜରେ ଗ୍ରହଣ କରୁନାହାନ୍ତି। ଦଳୀୟ ନେତୃତ୍ବକୁ ଚ୍ୟାଲେଂଜ କରି ଯେଭଳି ସମାନ୍ତରାଳ ବୈଠକ ଆୟୋଜନ ହୋଇଥିଲା ତାହା ଅନୁଶାସନହୀନତାର ଏକ ବଡ଼ ପ୍ରମାଣ ବୋଲି ପର୍ଯ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି। କଂଗ୍ରେସ ନେତା ଶଶି ଥରୁର ସେପ୍ଟେମ୍ବର ୩୦ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ତାଙ୍କର ପ୍ରତିନିଧି ସୂଚନା ଦେଇଛନ୍ତି।

୩ ବିଶ୍ବସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌: ଗେହଲଟଙ୍କ ବାସଭବନରେ ମନ୍ତ୍ରୀ, ବିଧାୟକଙ୍କ ବୈଠକ; ପାଇଲଟଙ୍କ ଦିଲ୍ଲୀ ଗସ୍ତ ଉପରେ ନଜର

Image Courtesy of India Today

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ସଙ୍କଟ ଘନିଭୂତ ହେବାରେ ଲାଗିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିଶ୍ବସ୍ତ ବିଧାୟକଙ୍କ ବିଦ୍ରୋହ ଯୋଗୁଁ ରାଜସ୍ଥାନ ରାଜନୀତି ସରଗରମ ରହିଛି। ଇତିମଧ୍ୟରେ କ୍ଷମତା କନ୍ଦଳର ସମାଧାନ ପାଇଁ ରାଜସ୍ଥାନ ଗସ୍ତରେ ଥିବା ଏଆଇସିସି ପର୍ଯ୍ୟବେକ୍ଷକ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। କଂ‌ଗ୍ରେସ ନେତା ଅଜୟ ମାକେନଙ୍କ ରିପୋର୍ଟରେ ୯୨ ବିଧାୟକଙ୍କ ବିଦ୍ରୋହ ନେଇ ଗେହଲଟଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ସୁପାରିସ କରାଯାଇ ନଥିଲେ ମଧ୍ୟ ତାଙ୍କର ୩ ଜଣ ବିଶ୍ବସ୍ତ ତଥା ମୁଖ୍ୟ ସଚେତକ ମହେଶ ଯୋଶୀ, ଆର୍‌ଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ପାଠକ ଏବଂ ଶାନ୍ତି ଧରିୱାଲଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ଆଜି ସନ୍ଧ୍ୟାରେ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି।

ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଜୟପୁର ସ୍ଥିତ ବାସଭବନରେ ଆଜି ଅନେକ ମନ୍ତ୍ରୀ ଏବଂ ବିଧାୟକ ବୈଠକ କରିଛନ୍ତି। ୧୫-୧୬ ଜଣ ରାଜସ୍ଥାନ ମନ୍ତ୍ରୀ ଗେହଲଟଙ୍କ ବାସଭବନରେ ବୈଠକ କରିଥିବା ଜଣାପଡ଼ିଛି। ଗେହଲଟ ମଧ୍ୟ ରବିବାର ଘଟଣା ପରେ ପ୍ରଥମ ଥର ପାଇଁ ସୋନିଆଙ୍କ ସହ ଆଜି ଫୋନ୍‌ରେ କଥା ହୋଇଛନ୍ତି। ଏହି ସମୟରେ ଗେହଲଟଙ୍କ ପୂର୍ବତନ ଉପମୁଖ୍ୟ ସଚିନ ପାଇଲଟ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ‌ତେବେ ପାଇଲଟ୍‌ କେଉଁ କାରଣ ପାଇଁ ଦିଲ୍ଲୀ ଆସିଛନ୍ତି ତାହା ସ୍ପଷ୍ଟ କରାଯାଇନି। ରାଜସ୍ଥାନ ରାଜନୈତିକ ସଙ୍କଟ ମଧ୍ୟ‌ରେ ପାଇଲଟଙ୍କ ଦିଲ୍ଲୀ ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର