କଂଗ୍ରେସ ସଭାପତି ନିର୍ବାଚନ: ଦ୍ବନ୍ଦ୍ବ ବଢ଼ାଇଲେ ଗେହଲଟ୍, ଆଜି ସୋନିଆଙ୍କୁ ଭେଟିବେ
ନିର୍ବାଚନ ଲଢ଼ିବେ ଦିଗ୍ବିଜୟ ସିଂହ
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ। କିନ୍ତୁ ଏପର୍ଯ୍ୟନ୍ତ ନିର୍ବାଚନ ଦୌଡ଼ରେ କେଉଁମାନେ ଅଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ରାଜସ୍ଥାନ ରାଜନୈତିକ ସଙ୍କଟ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ନେଇ ଦ୍ବନ୍ଦ୍ବ ବଢ଼ାଇ ଚାଲିଛନ୍ତି। ଗେହଲଟଙ୍କ ବିଶ୍ବସ୍ତଙ୍କ ବିଦ୍ରୋହ ପରେ ଗେହଲଟ କଂଗ୍ରେସ ସଭାପତି ନିର୍ବାଚନ ଦୌଡ଼ରୁ ବାଦ୍ ପଡ଼ିପାରନ୍ତି ବୋଲି କୁହାଯାଉଥିଲା। କିନ୍ତୁ ବିଦ୍ରୋହ ପାଇଁ ଦଳ ଗେହଲଟଙ୍କୁ ଦାୟୀ କରିନି। ତେଣୁ ସେ ଏବେ ବି ତାଲିକାରୁ ବାଦ୍ ପଡ଼ିନାହାନ୍ତି। ଇତି ମଧ୍ୟରେ ଗେହଲଟ ଆସନ୍ତାକାଲି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ। ଗେହଲଟ ଆଜି ସନ୍ଧ୍ୟାରେ ସୋନିଆଙ୍କୁ ଭେଟିଥାନ୍ତେ। କିନ୍ତୁ ଆଜି ରାତିରେ ଗେହଲଟ ଘନିଷ୍ଠ ବିଧାୟକମାନଙ୍କ ସହ ଏକ ବୈଠକରେ ଆଗାମୀ ରଣନୀତି ସ୍ଥିର ରହିବେ। ଗେହଲଟ ରାଜସ୍ଥାନ ଦାୟିତ୍ବ ଛାଡ଼ିନପାରନ୍ତି ବୋଲି କୁହାଯାଉଛି। ଇତି ମଧ୍ୟରେ ଗେହଲଟଙ୍କ ଘନିଷ୍ଠ ମନ୍ତ୍ରୀ ପ୍ରତାପ ସିଂହ କହିଛନ୍ତି, କଂଗ୍ରେସ ଅଶୋକ ଗେହଲଟଙ୍କ ନେତୃତ୍ବରେ କାମ କରିବ। ଗେହଲଟ ଆଜି ଇସ୍ତଫା ଦେଉନାହାନ୍ତି କି ଭବିଷ୍ୟତରେ ମଧ୍ୟ ଦେବେନାହିଁ। ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂହ ମଧ୍ୟ ସମାନ ମତ ଦେଇଥିବାରୁ ଗେହଲଟ ସଭାପତି ନିର୍ବାଚନ ଲଢ଼ିବେନି ବୋଲି ଏଥିରୁ ସଙ୍କେତ ମିଳୁଛି।
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନରେ ଏବେ ନୂଆ ଟ୍ବିଷ୍ଟ୍ ଆସିଛି। କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାପାଇଁ ମନା କରୁଥିବା ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ଏବେ ସଭାପତି ନିର୍ବାଚନ ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଦିଗ୍ବିଜୟ ସିଂହ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କେତେକ ସୂତ୍ରରୁ ଜଣାପଡ଼ିଛି। ଦିଗ୍ବିଜୟ କହିଛନ୍ତି, ମୁଁ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ଗଭୀର ଭାବେ ଚିନ୍ତା କରୁଛି। କିନ୍ତୁ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସୂଚନାନୁଯାୟୀ, ଦିଗ୍ବିଜୟ ଆଜି ରାତିରେ ଦିଲ୍ଲୀ ପହଞ୍ଚିବାପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ରାଜସ୍ଥାନ କଂଗ୍ରେସରେ ବିଦ୍ରୋହ ହେବାପରେ ଅଶୋକ ଗେହଲଟଙ୍କ ପ୍ରାର୍ଥିତ୍ବକୁ ନେଇ ପ୍ରଶ୍ନ ଉଠିଛି। ତିରୁଅନନ୍ତପୁରମ କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ ସଭାପତି ନିର୍ବାଚନ ଦୌଡ଼ରେ ଅଛନ୍ତି ଏବଂ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ।