କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ:ରାହୁଲଙ୍କ ନାମାଙ୍କନ ଦାଖଲ

ଔରଙ୍ଗଜେବୀ ଶାସନ ଆମେ ଚାହୁନା: ମୋଦି:କଂଗ୍ରେସ ପାଇଁ ଆଜି କଳା ଦିବସ: ପୁନାଓ୍ଵାଲା

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଛନ୍ତି। ତେବେ ଦଳର ଏହି ସର୍ବୋଚ୍ଚ ପଜବି ଲାଗି ଆଜି ନାମାଙ୍କନର ଶେଷ ଦିନରେ ରାହୁଲ୍‌ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ହିଁ ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବେ ବୋଲି ନିଶ୍ଚିତ ହୋଇଯାଇଛି।
ରାହୁଲଙ୍କ ଏହି ନାମାଙ୍କନ ଦାଖଲ ପାଇଁ ପଞ୍ଜାବର କ୍ୟାପ୍ଟେନ୍‌ ଅମରେନ୍ଦରସିଂହ, କର୍ଣ୍ଣାଟକର ସିଦ୍ଧରମାୟା, ହିମାଚଳପ୍ରଦେଶର ବୀରଭଦ୍ର ସିଂହ, ପୁଡୁଚେରିର ଭି. ନାରାୟଣ ସ୍ୱାମୀ, ମେଘାଳୟର ମୁକୁଲ ସାଙ୍ଗମା ଏବଂ ମିଜୋରାମର ଲାଲ୍‌ ଥାନାଓ୍ଵାଲା ପରି ଛଅ ଛଅ ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ପିସିସି ମୁଖ୍ୟ ଏବଂ କଂଗ୍ରେସ କମିଟି ପ୍ରତିନିଧିମାନେ ଦଳର ମୁଖ୍ୟ କାର୍ଯ୍ୟାଳୟରେ ସମବେତ ହୋଇଥିଲେ। ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଏକେ ଆନ୍ଥୋନି, ଅହମ୍ମଦ ପଟେଲ ଏବଂ ଗୁଲାମ୍‌ ନବି ଆଜାଦଙ୍କ ପରି ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ପାଇଁ ୯୦ ସେଟ୍‌ ନାମାଙ୍କନ ଦାଖଲ କରିଥିଲେ।
ଅପରପକ୍ଷେ, ମା’ ସୋନିଆଙ୍କ ପରେ ରାହୁଲଙ୍କ ଏପରି ପଦବି ହାସଲ ପ୍ରକ୍ରିୟାକୁ କଡ଼ା ସମାଲୋଚନା କରି କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସର ଏହି ନିର୍ବାଚନୀ ପ୍ରକ୍ରିୟାକୁ ସପ୍ତଦଶ ଶତାବ୍ଦୀର ଶାସକ ଔରଙ୍ଗଜେବଙ୍କ ଶାସନ ସହ ତୁଳନା କରି ସେ ପ୍ରକାର ଶାସନ ଦେଶବାସୀ ଚାହାନ୍ତିନାହିଁ ବୋଲି ସେ ଟିପ୍ପଣୀ କରିଛନ୍ତି। ଏହି ମର୍ମରେ ସେ ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟର କରିଥିବା ତୁଳନାକୁ ମଧ୍ୟ ଉଦ୍ଧାର କରିବାକୁ ଭୁଲିନାହାନ୍ତି।
ସୂଚନା ଥାଉ କି, ମହାରାଷ୍ଟ୍ର ପିସିସି ସମ୍ପାଦକ ଶେହଜାଦ ପୁନାଓ୍ଵାଲା କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନୀ ପ୍ରକ୍ରିୟାକୁ ବଂଶବାଦ ରାଜନୀତି କହି ଝଡ଼ ସୃଷ୍ଟି କରିଥିବା ବେଳେ ମଣିଶଙ୍କର ଏହାର ଜବାବ୍‌ ରଖିଥିଲେ। ରାହୁଲ ଅଧ୍ୟକ୍ଷ ହେବା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ମୋଗଲ ଶାସନ ସମୟରେ ଜାହାଙ୍ଗୀରଙ୍କ ପରେ ଶାହଜାହାନ ସମ୍ରାଟ ହୋଇଥିଲେ, ସେହିପରି ଶାହଜାହନଙ୍କ ପରେ ଔରଙ୍ଗଜେବ ଶାସକ ହେବେ ବୋଲି ସମସ୍ତେ ବୁଝିନେଇଥିଲେ। ସେତେବେଳେ କ’ଣ ନିର୍ବାଚନ ହୋଇଥିଲା କି ବୋଲି ମଣିଶଙ୍କର ପ୍ରଶ୍ନ କରିଥିିଲେ।
ସେହିପରି ଆଜି ରାହୁଲଙ୍କ ନାମାଙ୍କନ ଦାଖଲ ସମୟକୁ ଦଳ ପାଇଁ କଳା ଦିବସ ବୋଲି କହିଛନ୍ତି ମହାରାଷ୍ଟ୍ରର କଂଗ୍ରେସ ନେତା ପୁନାଓ୍ଵାଲା। ଦଳର ଅଧ୍ୟକ୍ଷ ପଦ ଲାଗି ହେଉଥିବା ଏହି ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ଅନୈତିକ ଏବଂ ଏହା ବିରୋଧରେ ତାଙ୍କର ଲଢ଼େଇ ଜାରି ରହିବ ବୋଲି ପୁନାଓ୍ଵାଲା କହିଛନ୍ତି।

ସମ୍ବନ୍ଧିତ ଖବର