ମହାରାଷ୍ଟ୍ର କଂଗ୍ରେସରେ ହଇଚଇ, ମିଲିନ୍ଦ-ମୋଦୀଙ୍କ ଟ୍ବିଟ୍‌ ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ: କଂଗ୍ରେସ ନେତା ମିଲିନ୍ଦ୍‌ ଦେଓରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାଓଡ଼ି ମୋଦୀ’ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ପ୍ରଶଂସା କରି ଟ୍ବିଟ୍‌ କରିବାପରେ ମୋଦୀ ମଧ୍ୟ ଏହାର ଉତ୍ତର ରଖି ଦେଓରାଙ୍କୁ ‘ଥ୍ୟାଙ୍କ୍‌ ୟୁ’ ଟ୍ବିଟ୍‌ କରିଛନ୍ତି। ତେବେ ମିଲିନ୍ଦ ଏବଂ ମୋଦୀଙ୍କ ମଧ୍ୟରେ ଟ୍ବିଟ୍‌ର ଆଦାନ ପ୍ରଦାନ ନେଇ ଏବେ ସସ୍‌ପେନ୍ସ ବଢ଼ିବାରେ ଲାଗିଲାଣି। ମିଲିନ୍ଦ ଦେଓରା ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି। ରାଜ୍ୟ କଂଗ୍ରେସର ବହୁ ନେତା ମିଳିନ୍ଦଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪୨ ବର୍ଷୀୟ ମିଲିନ୍ଦ ବିବାଦ ପରେ ଏକ ବିବୃତି ଜାରି କରି କହିଛନ୍ତି, ‘ ମୋ ବାପା ଭାରତର ପ୍ରଧ‌ାନମନ୍ତ୍ରୀ ଏବଂ ଆମେରିକାର ରାଷ୍ଟ୍ରପତିମାନଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ କାମ କରିଥିଲେ। ଦଳୀୟ ବିଚାରଧାରାରୁ ଊର୍ଦ୍ଧ୍ବକୁ ଉଠି ସେ କାମ କରିଥିଲେ। ସୌଭାଗ୍ୟବଶତଃ ସେତେବେଳର ରାଜନୀତି ବର୍ତ୍ତମାନ ଭଳି ଆଦୌ ଅସ୍ବାଭାବିକ ଏବଂ ଆକ୍ରମଣାତ୍ମକ ନଥିଲା । ତେବେ ଯେଉଁମାନେ ଏବେ ମୋ ଭବିଷ୍ୟତ ନେଇ ଚିନ୍ତା କରୁଛନ୍ତି ସେମାନଙ୍କ ପାଇଁ ମୁଁ ଏହି ଉତ୍ତର ରଖିବାକୁ ଚାହୁଛି ଯେ – ମୋର ସାମର୍ଥ୍ୟ ଅନୁଯାୟୀ ମୁଁ ଦେଶସେବାରେ ନିଜକୁ ନିୟୋଜିତ କରିବି ଏବଂ ଜାତୀୟ ସ୍ବାର୍ଥ ଓ ବିଦେଶ ନୀତି ପ୍ରସଙ୍ଗରେ ମୁଁ ଦଳୀୟ ବିଚାରଧାରାରୁ ଊର୍ଦ୍ଧ୍ବକୁ ଉଠି କାମ କରିବି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ମିଲିନ୍ଦଙ୍କ ବାପା ମୁରଲି ଦେଓରା ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ। ୨୦୧୪ରେ ତାଙ୍କର ମୃତ୍ୟୁ ହୋଇଥିଲା। ମିଲିନ୍ଦ ଗତକାଲି କହିଥିଲେ, ‌ମୋଦୀଙ୍କ ହଷ୍ଟନ୍‌ ଉଦ୍‌ବୋଧନ ଭାରତର ସଫଳ କୁଟନୀତିର ଏକ ବଳିଷ୍ଠ ନିଦର୍ଶନ।

ସମ୍ବନ୍ଧିତ ଖବର