ଶୀତକାଳୀନ ଅଧିବେଶନ ଆରମ୍ଭ ପୂର୍ବରୁ କଂଗ୍ରେସ ସଦସ୍ୟଙ୍କ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହା ପରେ ଗୃହକୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । କଂଗ୍ରେସ ସଦସ୍ୟମାନେ ସଂସଦ ବାହାରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ପ୍ରଦର୍ଶନ କରି ସମସ୍ତ ତିନୋଟି କୃଷି ଆଇନ ପ୍ରତ୍ୟାହାର ସହ ଏମଏସପି ଗ୍ୟାରେଣ୍ଟି ଆଇନ ଲାଗୁ କରିବାକୁ ଦାବି କରିଥିଲେ । ଅନ୍ୟପଟେ ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ଗୃହରେ ସକରାତ୍ମକ ଆଲୋଚନା ନେଇ ସେ ଆଶାବାଦୀ ଅଛନ୍ତି । ହୋହଲ୍ଲା ନକରି ସଂସଦ ଅଚଳ ନକରିବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ମୋଦୀ । ତେବେ ସରକାର ସମସ୍ତ ପ୍ରକାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି ।

କରୋନାର ନୂଆ ଭାରିଆଂଟକୁ ନେଇ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି । ରାଷ୍ଟ୍ରର ହିତ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ମୋଦୀ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ହେଲେ ଏହା ପୂର୍ବରୁ ସେହି ଚାଷୀ ପ୍ରସଙ୍ଗରେ ସରକାରଙ୍କ ଘେରାବନ୍ଦୀ ପାଇଁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ । ଅଧିବେଶନ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ମୂଲତବୀ ନୋଟିସ ଦେଇଛି କଂଗ୍ରେସ । କୃଷି ଆଇନ ପ୍ରତ୍ୟାହାର କରିବା ସହ ଆନ୍ଦୋଳନବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦଳ ଦାବି କରିଛି ।

ସେହିପରି ଏମଏସପିକୁ ଆଇନ ଆକାରରେ ଆଣିବା ପାଇଁ କଂଗ୍ରେସ ମଧ୍ୟ ଚାଷୀ ସଂଗଠନଗୁଡକ କରୁଥିବା ଦାବିକୁ ସମର୍ଥନ ଜଣାଇଛି । ମାଳ ମାଳ ପ୍ରସଙ୍ଗ ଧରି ମୋଦୀ ସରକାରଙ୍କୁ ଅକଳରେ ପକାଇବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଆଗାମୀ ୨୩ ତାରିଖ ଯାଏଁ ସଂସଦ ଚାଲିବାକୁ ଥିବାବେଳେ ମୋଟ୍ ୨୬ଟି ବିଲ ଆଣିବାକୁ ସରକାର ଯୋଜନା କରିଛନ୍ତି । ଯାହା ଏତେ ସହଜ ହେବ ନାହିଁ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର