ନୂଆଦିଲ୍ଲୀ: ଆରମ୍ଭ ହେଲା କଂଗ୍ରେସର ଆନ୍ଦୋଳନ । ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଦେଶର ବିଭିନ୍ନ ଇଡି ଅଫିସ ଆଗରେ ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି କଂଗ୍ରେସ । ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପରେ ଇଡି ଅଫିସ ଘେରାଉ କରୁଛି କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରୁଛି କଂଗ୍ରେସ ।
ତେବେ ଦିଲ୍ଲୀରେ ପ୍ରତିବାଦ ଆରମ୍ଭ ହୋଇ ସାରିଥିବା ବେଳେ ରାଜରାସ୍ତାରେ ଗର୍ଜୁଛନ୍ତି କର୍ମୀ । ଏହି ଆନ୍ଦୋଳନରେ ସାମିଲ ହୋଇ ବିଜେପି ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ । ଏହା ରାଜନୈତିକ ପ୍ରତିଶୋଧ କହିଛନ୍ତି ସଚିନ । ତେବେ ନ୍ୟାୟ ବ୍ୟବସ୍ଥା ଉପରେ ସେମାନଙ୍କ ବିଶ୍ବାସ ରହିଛି, ସେମାନେ ଏହା ବିରୋଧରେ ଲଢେଇ ଜାରି ରଖିବେ । ରାହୁଲ ଏବଂ ସୋନିଆଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ଏଭଳି କରି ବିରୋଧୀଙ୍କ ସ୍ବର ଚାପି ଦେବାକୁ ପ୍ରୟାର ଜାରି ରହିଛି ବୋଲି ସଚିନ ନିଜ ପ୍ରତିକ୍ରିୟା ମାଧ୍ୟମରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ।
ନ୍ୟାସନାଲ ହେରାଲ୍ଡ ମାମଲାରେ ବଢ଼ିଛି ସୋନିଆ, ରାହୁଲଙ୍କ ଅଡୁଆ । ମାମଲା ସମ୍ବନ୍ଧିତ ଚାର୍ଜସିଟରେ ସାମ ପିଟ୍ରୋଦାଙ୍କ ସହ ସୋନିଆ ଓ ରାହୁଲଙ୍କ ନାଁ ରହିଛି । ଏନେଇ ରାଉଜ ଏଭିନ୍ୟୁକୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ କଂଗ୍ରେସର ଏହି ତିନିଜଣ ବରିଷ୍ଠ ନେତାଙ୍କ ସହ ଆଉ କିଛି ଜଣଙ୍କ ନାଁ ରହିଛି । ଏପ୍ରିଲ ୨୫ରେ କୋର୍ଟ ଚାର୍ଜସିଟ ଉପରେ ଶୁଣାଣି କରିବେ । ପ୍ରଥମଥର ପାଇଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଏମାନଙ୍କ ନାଁ ଚାର୍ଜସିଟରେ ଉଲ୍ଲେଖ କରିଛି ଇଡି । ନିକଟରେ ଏଜେଲର (ଆସୋସିଏଟେଡ୍ ଜରନାଲସ୍ ଲିମିଟେଡ) ୮ଶହ କୋଟି ମୂଲ୍ୟର ସମ୍ପତ୍ତିକୁ ଜବତ କରିବା ପରେ ଇଡିର ଏହା ବଡ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଉଛି । ଯାହା ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦକୁ କଂଗ୍ରେସ ଓହ୍ଲାଇଛି । ଦେଶ, ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ପ୍ରତିବାଦ ହେଉଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ସାମ୍ନାରେ ଧାରଣା ଦିଆଯିବାର ଯୋଜନା ହୋଇଛି ।