କଂଗ୍ରେସର ପଞ୍ଜାବ ଗୋଟିଚାଳନା: ଖେଳ ବିଗାଡ଼ିବେ ଅମରିନ୍ଦର!

ନୂଆଦିଲ୍ଲୀ: କଂଗ୍ରେସ ନେତା ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଅଚାନକ ବିଦା କରି କଂଗ୍ରେସ ଯେଉଁ ଗୋଟିଚାଳନା କରିଛି, ତାହା କେତେ ଫଳପ୍ରସୂ ହେଉଛି, ଆଗାମୀ ୨୦୨୨ ଫେବ୍ରୁଆରି ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରୁ ଜଣାପଡ଼ିବ। ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୫ ମାସ ସମୟ ବାକି ଥିବା ବେଳେ ଅମରିନ୍ଦରଙ୍କୁ ବିଦା କରାଯିବା ଦଳ ପାଇଁ ବଡ଼ ସଙ୍କଟ ଆଣିପାରେ ବୋଲି ଅନେକ ନେତା ମତ ରଖିଛନ୍ତି। ଅମରିନ୍ଦର ପଂଜାବରେ କଂଗ୍ରେସକୁ ଶକ୍ତିଶାଳୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଏବେ ସେ ନୂଆ ଦଳ ଗଠନ କରିପାରନ୍ତି କିମ୍ବା ଅନ୍ୟ କୌଣସି ଦଳରେ ବି ଯୋଗ ଦେଇପାରନ୍ତି ବୋଲି ସଙ୍କେତ ଦେଇସାରିଥିବାରୁ ଆଗକୁ ପଂଜାବରେ କଂଗ୍ରେସ ପାଇଁ ରାସ୍ତା ଏତେ ସହଜ ହେବନାହିଁ ବୋଲି କୁହାଯାଉଛି। ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ବୈଠକରେ ଯେଭଳି ତୀବ୍ର ଛକାପଂଝା ଦେଖିବାକୁ ମିଳିଲା ତାହା ଆଗକୁ କିଭଳି ରୂପ ନେବ କହିହେବନାହିଁ।

ବର୍ତ୍ତମାନ ତିନି ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ନେଇ ଅକାଳୀ ଦଳ କଂଗ୍ରେସ ସହିତ ଏକପ୍ରକାର ବନ୍ଧୁଭାବ ପ୍ରଦର୍ଶନ କରୁଛି ଏବଂ ଅମରିନ୍ଦର ହିଁ ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯୋଜନା କରୁଥିବା ଅକାଳୀ ନେତାମାନେ ଅଭିଯୋଗ କରିଛନ୍ତି। ଏବେ ଅମରିନ୍ଦରଙ୍କ ବିଦାୟ ପରେ ଚରଣଜିତ୍‌ ସିଂହ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି। ତେଣୁ ଅକାଳୀ ଦଳର ରଣନୀତିକୁ ମୁକାବିଲା କରିବା ପାଇଁ ଚନ୍ନି କିଭଳି ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କର ନଜର ରହିବ। ତେବେ ଚନ୍ନିଙ୍କୁ ନେଇ ଦଳ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିନପାରେ ଏବଂ ସିଦ୍ଧୁ ହିଁ ଦଳର ଚେହେରା ହୋଇପାରନ୍ତି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।

ରାଜ୍ୟରେ ଆମ୍ ଆଦ୍‌ମୀ ପାର୍ଟି ତା’ର ସ୍ଥିତି ମଜଭୁତ କରୁଥିବାରୁ ଏହାକୁ ଆଳ କରି ସିଦ୍ଧୁ ଗୋଷ୍ଠୀ ଅମରିନ୍ଦର-ବିରୋଧୀ ଅଭିଯାନ ଚଳାଇଥିଲେ। ଏବେ ଅମରିନ୍ଦରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହୁଛି, ତା’ ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି। ଅମରିନ୍ଦର ସିଦ୍ଧୁଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇସାରିଥିବାରୁ କଂଗ୍ରେସ ଦୁଇ ଫାଳ ହୋଇଯିବା ଭୟ କେନ୍ଦ୍ରୀୟ ନେତୃତ୍ବକୁ ଘାରିଛି।

ସମ୍ବନ୍ଧିତ ଖବର