ଜି-୨୩ର ହେଲା ମାନଭଞ୍ଜନ: ସୋନିଆ ଗାନ୍ଧୀଙ୍କୁ ୧୦, ଜନପଥରେ ଭେଟିଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: ବରିଷ୍ଠ ଅସନ୍ତୁଷ୍ଟ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଶୁକ୍ରବାର ଦିନ ୧୦, ଜନପଥରେ ପହଞ୍ଚି ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଏହି ଭେଟ୍‌ଘାଟ କାଳରେ ଅସନ୍ତୁଷ୍ଟ ଭାବେ ପରିଚିତ (ଜି-୨୩) ଗୋଷ୍ଠୀର ପ୍ରମୁଖ ନେତା ଆଜାଦ୍‌ ଏବଂ ଦଳର ହାଇକମାଣ୍ଡଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା କୁହାଯାଉଛି।
ଏହା ପୂର୍ବରୁ ଚଳିତ ସପ୍ତାହ ପ୍ରାରମ୍ଭରେ ସୋନିଆ ଗାନ୍ଧୀ ଗୁଲାମ ନବୀ ଆଜାଦଙ୍କ ସହ ଦୁଇଥର ଫୋନରେ କଥା ହୋଇଥିଲେ। ଏପରିକି ଜି-୨୩ ଗୋଷ୍ଠୀ, ପାଞ୍ଚଟି ରାଜ୍ୟରେ ନିକଟରେ ହୋଇଥିବା ନିର୍ବାଚନ ବିପର୍ଯ୍ୟୟ ପରେ ଦଳୀୟ ସଂଗଠନର ପୁନର୍ଗଠନ ବିଷୟରେ ଆଲୋଚନା କରିବା ପାଇଁ ଘନ ଘନ ବୈଠକ କରିଥିଲା।

ଏହି ପରିପ୍ରେକ୍ଷୀରେ ଆଜିର ବୈଠକକୁ ଗାନ୍ଧୀ ପରିବାର ଆଜାଦଙ୍କ ପରି ଜି-୨୩ ନେତାଙ୍କ ନିକଟରେ ପହଞ୍ଚିବାପାଇଁ ଏକ ପ୍ରୟାସ ଭାବରେ ଦେଖାଯାଉଛି।

ଚଳିତ ସପ୍ତାହରେ ଅନେକ ବୈଠକ ପରେ ଆଜାଦ ଏବଂ ଭେଟେରାନ କଂଗ୍ରେସ ନେତା ଭୂପିନ୍ଦର ସିଂ ହୁଡା (ଜି-୨୩ର ଅନ୍ୟ ଜଣେ ସଦସ୍ୟ) ଦଳକୁ ମଜବୁତ କରିବା ପାଇଁ ସାମୂହିକ ନେତୃତ୍ୱ ପାଇଁ ଠୋସ୍‌ ପ୍ରସ୍ତାବ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରସ୍ତାବଗୁଡ଼ିକ ଉପରେ ଆଜିର ବୈଠକରେ ବିଚାର କରାଯାଇପାରେ କାରଣ ଆଜାଦ, ଏକଦା ଗାନ୍ଧୀ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ।

Image Courtsy: India Today

ନିକଟରେ ଏକ ବିବୃତ୍ତିରେ, ଜି-୨୩ ଗୋଷ୍ଠୀ କଂଗ୍ରେସ ହାଇକମାଣ୍ଡଙ୍କୁ ଅନୁରୋଧ କରିଛନ୍ତି ଯେ ସମସ୍ତ ସ୍ତରରେ ସାମୂହିକ ଏବଂ ଅନ୍ତର୍ଭୁକ୍ତ ନେତୃତ୍ୱ ଏବଂ ନିଷ୍ପତ୍ତି ନେବାର ମଡେଲ ଗ୍ରହଣ କରାଯାଉ।
ବିଜେପିକୁ ବିରୋଧ କରିବା ପାଇଁ କଂଗ୍ରେସ ଦଳକୁ ମଜବୁତ କରିବା ଆବଶ୍ୟକ। ୨୦୨୪ ପାଇଁ ଏକ ବିଶ୍ୱସନୀୟ ବିକଳ୍ପ ପାଇଁ ପଥ ପରିଷ୍କାର କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ମଧ୍ୟ ଅନ୍ୟ ସମାନ ଚିନ୍ତାଧାରା ଥିବା ଦଳ ସହିତ ଆଲୋଚନା ଆରମ୍ଭ କରିବାକୁ ଏହି ଗୋଷ୍ଠୀ ଦାବି କରିଛି।

ଜି-୨୩ କ୍ରମାଗତ ଭାବରେ ସଂଗଠନର ପୁନର୍ଗଠନ ପାଇଁ ଦାବି କରୁଛି। ସେମାନଙ୍କ କହିବା କଥା ହେଲା ସେମାନେ କଂଗ୍ରେସକୁ ମଜବୁତ କରିବାକୁ ଚାହୁଁଛନ୍ତି ଏବଂ କଂଗ୍ରେସର ସମ୍ମାନକୁ କୌଣସି ପ୍ରକାରେ କ୍ଷୁର୍ଣ୍ଣ କରିବାକୁ ଦେବେ ନାହିଁ।

ସମ୍ବନ୍ଧିତ ଖବର