ରାହୁଲ ଗାନ୍ଧିଙ୍କ ଭିଡ଼ିଓ ଜାରି କଲା କଂଗ୍ରେସ

ନୂଆଦିଲ୍ଲୀ: ଦାଦନ ଶ୍ରମିକମାନଙ୍କ ସହ ରାହୁଲ ଗାନ୍ଧି କଥା ହେଉଥିବା ବେଳର ପ୍ରାମାଣିକ ଭିଡ଼ିଓ ଚଳଚ୍ଚିତ୍ରକୁ କଂଗ୍ରେସ ପାର୍ଟି ଜାରି କରିଛି। ଦିଲ୍ଲୀର ସୁଖଦେବବିହାର ଫ୍ଲାଇଓଭର ପାଖରେ କିଛି ଦାଦନଶ୍ରମିକଙ୍କ ସହ ରାହୁଲ କଥା ହେଉଥିବା ସେହି ଭିଡ଼ିଓରେ ରହିଛି। କରୋନାଭୂତାଣୁ ଲକ୍‌ଡାଉନ୍‌ ବେଳେ କିଭଳି ଶ୍ରମିକମାନେ ଶହଶହ କିଲୋମିଟର ଚାଲୁଛନ୍ତି ତାହା ମୁଖ୍ୟ ପ୍ରସଙ୍ଗ ରହିଛି। ଭିଡିଓ ଶେଷରେ ରାହୁଲ ଗାନ଼୍ଧି କହୁଛନ୍ତି ଯେ ୧୩ କୋଟି ଏଭଳି ଶ୍ରମିକଙ୍କୁ ତୁରନ୍ତ ସିଧାସଳଖ ଟଙ୍କା ହସ୍ତାନ୍ତର ଅଧୀନରେ ୭,୫୦୦ ଟଙ୍କା ସରକାର ଦିଅନ୍ତୁ। ଦାଦନ ଶ୍ରମିକମାନଙ୍କୁ ସେହି ପ୍ରାମାଣିକ ଚଳଚ୍ଚିତ୍ରରେ ପ୍ରକୃତ ରାଷ୍ଟ୍ରନିର୍ମାତାର ଆଖ୍ୟା ଦିଆଯାଇଛି।

୧୬ମିନିଟ୍‌ର ଭିଡିଓରେ ଦାଦନ ଶ୍ରମିକଙ୍କ ଦୁଃଖ ଦୁର୍ଦଶା ଓ ଅସହାୟତାକୁ ଦର୍ଶାଯାଇଛି। ଜିଲ୍ଲା ବାହାରେ ବା ରାଜ୍ୟ ବାହାରେ କୌଣସି ସହରରେ ନିଜର ଜୀବିକା ହରାଇବା ପରେ ସେମାନେ କିପରି ନିଜ ଗାଆଁକୁ ବାହୁଡୁଛନ୍ତି ଏବଂ ପରିବାର ଲୋକଙ୍କ ଭାବନା କିପରି ରହିଛି, ତାହାକୁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ରାହୁଲ କହିଛନ୍ତି ଯେ କରୋନାଭୂତାଣୁ ଅନେକ ଲୋକଙ୍କୁ ଆକ୍ରାନ୍ତ କରିଛି, ହେଲେ ଏମାନଙ୍କୁ ବିପୁଳ ଆଘାତ କରିଛି। ରାହୁଲ ସେଥିରେ କଳା ପ୍ୟାଣ୍ଟ ଓ ଧଳା କୁର୍ତ୍ତାରେ ଦିଶୁଛନ୍ତି ଏବଂ ମହିଳା ଓ ଶିଶୁ ସମେତ ୨୦ ଜଣ ଶ୍ରମିକ ଅମ୍ବାଲାରୁ ଝାନ୍‌ସି ଯାଉଛନ୍ତି। ଶ୍ରମିକମାନେ ମଧ୍ୟ କହିଛନ୍ତି ଯେ ବାଟରେ ହରିୟାଣାରେ ଲୋକମାନେ ସେମାନଙ୍କୁ ଅଟକାଇ ପିଟିବାକୁ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର