ଜୟପୁର : ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୫୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ସେମାନେ ହେଲେ ଶ୍ରୀଗଙ୍ଗାନଗରର ସୋହନଲାଲ, ଉଦୟପୁରର ଗୌରବ ବଲ୍ଲଭ, ବୟାନାରୁ ଅମର ସିଂହ ଜାଟବ, ଅନୁପଗଡ଼ର ଶିମଲା ଦେବୀ ନାୟକ। ସେହିପରି ପାଇଲଟ ଗୋଷ୍ଠୀର ବିଧାୟକ ଲାଲ ବୈରୱାଙ୍କ ଟିକେଟ କାଟି ଦିଆଯାଇଛି ।
ତେବେ ମଜା କଥା ହେଉଛି ଜଣେ ପ୍ରାର୍ଥୀଙ୍କୁ ଦୁଇଟି ଦଳ କଂଗ୍ରେସ ଓ ବିଏସପି ପ୍ରାର୍ଥୀ କରିଛନ୍ତି । ତାଙ୍କ ନାଁ ହେଉଛି ଇମ୍ରାନ ଖାଁ । ତାଙ୍କୁ ପ୍ରଥମେ ବିଏସପି ପ୍ରାର୍ଥୀ ଘୋଷଣା କରିଥିଲା, କିନ୍ତୁ ଏବେ କଂଗ୍ରେସ ବି ତାଙ୍କୁ ପ୍ରାର୍ଥୀ କରିଛି ।
ନାସିରାବାଦରୁ ନୂଆ ଚେହେରା ଶିବପ୍ରକାଶ ଗୁର୍ଜରଙ୍କୁ ପ୍ରାର୍ଥୀ କରାଯାଇଛି । ବିକାନୀର ପୂର୍ବରୁ ଯଶପାଲ ଗେହଲଟ, ପିଲିଭଙ୍ଗାରୁ ବିନୋଦ ଗଠେୱାଲ, ଶ୍ରୀମାଧପୁରରୁ ଦୀପେନ୍ଦ୍ର ସିଂହ ଶେଖାୱତ, ସିୱାନାରୁ ମାନବେନ୍ଦ୍ର ସିଂହ, ରାଣୀୱାଡ଼ାରୁ ରତନ ଦେବାସି ଏବଂ ଖଣ୍ଡେଲାରୁ ମହାଦେବ ସିଂହ ଙ୍କୁ ପ୍ରାର୍ଥୀ କରାଯାଇଛି।
କଂଗ୍ରେସ ପୁଣି ଥରେ ମଣ୍ଡଳରୁ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟଙ୍କୁ ପ୍ରାର୍ଥୀ କରିଛି। ହରିମୋହନ ଶର୍ମାଙ୍କୁ ବୁନ୍ଦିରୁ ପ୍ରାର୍ଥୀ କରାଯାଇଛି । ତେବେ ଦଳର ବରିଷ୍ଠ ନେତା ଡୁରୁମିଆଁ ଙ୍କ ଟିକେଟ୍ କାଟି ଦିଆଯାଇଛି।