ନୂଆଦିଲ୍ଲୀ: ଲାଟେରାଲ୍ ଏଣ୍ଟ୍ରି ମୋଡ୍ (ସିଧାସଳଖ ପାର୍ଶ୍ବିକ ନିଯୁକ୍ତି) ମାଧ୍ୟମରେ ୪୫ ଜଣ ବରିଷ୍ଠ ସ୍ତରର ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରି ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅଭିଯୋଗ କରିଛନ୍ତି ଯେ ଏହାଦ୍ବାରା ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦବୀରୁ ଅନୁସୂଚିତ ଜାତି (ଏସ୍ସି), ଅନୁସୂଚିତ ଜନଜାତି (ଏସ୍ଟି), ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍)କୁ ବଞ୍ଚିତ କରାଯାଉଛି। ଏକ୍ସରେ ହିନ୍ଦୀରେ ଏକ ପୋଷ୍ଟରେ ଖଡ଼ଗେ କହିଛନ୍ତି ବିଜେପି ଚତୁରତାର ସହ ଏପରି ନିଯୁକ୍ତି ଦେଉଛି ଯାହାଦ୍ବାରା ଏସ୍ସି, ଏସ୍ଟି, ଓବିସି ଶ୍ରେଣୀ ସଂରକ୍ଷଣ ଅଧିକାରରୁ ବଞ୍ଚିତ ହୋଇ ଉଚ୍ଚପଦରୁ ଦୂରେଇ ରହୁଛନ୍ତି।
ବିହାରରେ କଂଗ୍ରେସର ପ୍ରମୁଖ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତା ତେଜସ୍ୱୀ ଯାଦବ ଏହି ପଦକ୍ଷେପକୁ ସଂରକ୍ଷଣ ବ୍ୟବସ୍ଥା ତଥା ଡକ୍ଟର ବିଆର୍ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନକୁ ଏକ ଉପହାସ ବୋଲି କହି ନିନ୍ଦା କରିଛନ୍ତି। ଯାଦବ ଦର୍ଶାଇଛନ୍ତି ଯେ ଯଦି ଏହି ୪୫ଟି ପଦବୀ ପାରମ୍ପରିକ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ପୂରଣ ହୋଇଥାନ୍ତା, ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଏସ୍ସି, ଏସ୍ଟି ଓ ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ହୋଇଥାନ୍ତା। ଚୁକ୍ତିନାମା ଭିତ୍ତିରେ ଲାଟେରାଲ୍ ଏଣ୍ଟ୍ରି ମୋଡ୍ ମାଧ୍ୟମରେ ପୂରଣ କରିବାକୁ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସ୍ସି) ଶନିବାର ୪୫ଟି ପଦବୀ - ୧୦ଟି ଯୁଗ୍ମ ସଚିବ ଏବଂ ୩୫ ଜଣ ନିର୍ଦ୍ଦେଶକ / ଡେପୁଟି ସଚିବ ପଦ ପାଇଁ ବିଜ୍ଞପ୍ତି ଜାରି କରିଛି। ସାଧାରଣତଃ ଏପରି ପଦବୀଗୁଡିକ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍), ଭାରତୀୟ ପୁଲିସ ସେବା (ଆଇପିଏସ୍), ଭାରତୀୟ ବନ ସେବା (ଆଇଏଫ୍ଓଏସ୍) ଏବଂ ଅନ୍ୟାନ୍ୟ ଗ୍ରୁପ୍ ଏ ସେବା ଦ୍ବାରା ପରିଚାଳିତ ହୋଇଥାଏ। ୨୦୧୮ରେ ମୋଦୀ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଲାଟେରାଲ୍ ଏଣ୍ଟ୍ରି ପଦକ୍ଷେପ ବେସରକାରୀ କ୍ଷେତ୍ର ତଥା ଅନ୍ୟାନ୍ୟ ବେସରକାରୀ ସଂଗଠନରୁ ବିଶେଷ ପ୍ରତିଭାଙ୍କୁ ଆଣିବାକୁ ଲକ୍ଷ୍ୟ ରଖିଛି। ଏହି ପଦକ୍ଷେପ ପଛରେ ଥିବା ଯୁକ୍ତି ହେଉଛି ପ୍ରଶାସନରେ ନୂତନ ଦୃଷ୍ଟିକୋଣ ଓ ପାରଦର୍ଶିତା ସୃଷ୍ଟି କରିବା, ଯାହାଦ୍ୱାରା ଶାସନର ଦକ୍ଷତା ବୃଦ୍ଧି ହେବ। ଏପର୍ଯ୍ୟନ୍ତ ୬୩ଟି ନିଯୁକ୍ତି ଲାଟେରାଲ୍ ଏଣ୍ଟ୍ରି ମାଧ୍ୟମରେ କରାଯାଇଛି ଯେଉଁଥିରୁ ୩୫ଟି ନିଯୁକ୍ତି ଘରୋଇ କ୍ଷେତ୍ରରୁ ଆସିଛି। ତେବେ ନିଯୁକ୍ତିର ଏହି ପଦ୍ଧତି ଆରମ୍ଭରୁ ବିବାଦୀୟ ହୋଇପଡିଛି ଏବଂ ସମାଲୋଚକମାନେ ଯୁକ୍ତି କରନ୍ତି ଯେ ଏହା ଭାରତୀୟ ସମ୍ବିଧାନରେ ସ୍ଥାନିତ ସଂରକ୍ଷଣ ବ୍ୟବସ୍ଥାକୁ ଅତିକ୍ରମ କରୁଛି। ବିରୋଧୀମାନେ ଏହାକୁ ସାମାଜିକ ନ୍ୟାୟର ସିଧାସଳଖ ଉଲ୍ଲଂଘନ ରୂପେ ଦେଖୁଛନ୍ତି।