ଭାଗଲପୁର/ଅରାରିଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବିହାରର ଭାଗଲପୁର ଓ ଅରାରିଆ ଜିଲ୍ଲାରେ ନିର୍ବାଚନୀ ରାଲିରେ କଂଗ୍ରେସ-ଆର୍ଜେଡି ମେଣ୍ଟକୁ କଡ଼ା ସମାଲୋଚନା କରି କହିଛନ୍ତି, ଏହି ଦୁଇ ଦଳ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ସହ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ପ୍ରଭୁ ଶ୍ରୀରାମଙ୍କୁ ଅପମାନ କରୁଛନ୍ତି। ୧୨୧ଟି ବିଧାନସଭା ଆସନରେ ପ୍ରଥମ ପର୍ଯ୍ୟାୟ ମତଦାନ ମଧ୍ୟରେ ମୋଦୀ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏନ୍ଡିଏ ସରକାରକୁ ପ୍ରଶଂସା କରି କହିଛନ୍ତି, ୯୦ ଦଶକର ଜଙ୍ଗଲରାଜରୁ ବିହାରକୁ ଏନ୍ଡିଏ ସରକାର ମୁକ୍ତ କରିଛି ଏବଂ ବିକାଶ ଓ ସୁଶାସନ ଏବେ ବିହାରର ପରିଚୟ ପାଲଟିଛି। ପ୍ରଧାନମନ୍ତ୍ରୀ ରାଜ୍ୟର ବିଭିନ୍ନ ଏକ୍ସପ୍ରେସୱେ, ପ୍ରମୁଖ ସେତୁ, ଓ ଚାରୋଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଉନ୍ନୟନ ଯୋଜନା ସଂପର୍କରେ ଆଲୋକପାତ କରି ମହିଳା ଭୋଟରଙ୍କୁ ସରକାର ଅଧିକ ସଶକ୍ତ କରିଥିବା କହିଥିଲେ।
ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି, ‘କଂଗ୍ରେସର ନାମଦାର ଛଟ୍ ପୂଜାକୁ ନାଟକ କହିଛନ୍ତି। ସେମାନେ ଅଯୋଧ୍ୟାରେ ଶ୍ରୀରାମଙ୍କ ଦର୍ଶନ ପାଇଁ ଯାଆନ୍ତି ନାହିଁ। ଶ୍ରୀରାମଙ୍କୁ ସେମାନେ ପସନ୍ଦ ନକରିବା କରିବା ମୁଁ ବୁଝିପାରେ, କିନ୍ତୁ ନିଷାଦ ରାଜ, ମାତା ଶବରୀ ଓ ମହର୍ଷି ବାଲ୍ମୀକିଙ୍କ ତୀର୍ଥରେ ସେମାନେ ଶ୍ରଦ୍ଧା ଜଣାଇ ପାରିଥାନ୍ତେ। ସେମାନଙ୍କ ଆଭିମୁଖ୍ୟ ଦଳିତ ଓ ପଛୁଆ ଜାତି ପ୍ରତି ଅବମାନନା।’
ଅନୁପ୍ରବେଶକାରୀ ପ୍ରସଙ୍ଗରେ ମୋଦୀ କହିଛନ୍ତି, ଏନ୍ଡିଏ ଦେଶରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରିବାକୁ ପ୍ରତିବଦ୍ଧ ଥିବାବେଳେ କଂଗ୍ରେସ-ଆର୍ଜେଡି ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। ଇଣ୍ଡି ମେଣ୍ଟ ଦଳମାନେ ଅନୁପ୍ରବେଶକାରୀଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଉଛନ୍ତି ଓ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମିଥ୍ୟା ତଥ୍ୟ ଦେଉଛନ୍ତି। ଏହା ସହିତ କଂଗ୍ରେସ-ଆର୍ଜେଡି ଜାତିଆଣ ହିଂସା ପାଇଁ ମଧ୍ୟ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/07/untitled-4-2025-11-07-06-32-56.jpg)