ଅହମଦାବାଦ: ଆଗାମୀ ନିର୍ବାଚନ ପାଇଁ କଂଗ୍ରେସ ଆଜି ତାହାର ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ରାଜ୍ୟ ଗୁଜରାଟର ଅହମଦାବାଦ ସ୍ଥିତ ସର୍ଦ୍ଦାର ପଟେଲ ଜାତୀୟ ସ୍ମାରକୀ ପରିସରରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ସହ ନିର୍ବାଚନୀ ହୁଙ୍କାର ଦିଆଯାଇଛି। ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାର ୮୯ ବାର୍ଷିକୀ ପାଳନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ପାଇଁ ଅଭିନବ ମନ୍ତ୍ର ଫୁଙ୍କି ଗାନ୍ଧିଜୀଙ୍କ ଆଦର୍ଶକୁ ମନେପକାଇଛନ୍ତି। ସେହିପରି ଫାସିବାଦ, ଘୃଣା, କ୍ରୋଧ ଏବଂ ବିଭାଜନକୁ ଆଧାର କରିଥିବା ବିଜେପି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ଆଦର୍ଶକୁ କଳବଳକୌଶଳେ ହଟାଇବାକୁ ଆହ୍ବାନ କରିଛନ୍ତି। ଏହାକୁ ହାସଲ କରିବା ପାଇଁ ଯେ କୌଣସି ବଳିଦାନ ଦେବା ଲାଗି ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ଏ ଦିଗରେ ସାମାନ୍ୟତମ ଉଦ୍ୟମକୁ ବି ଅଣଦେଖା କରାଯିବନି ବୋଲି ସେ କହିଛନ୍ତି।
କଂଗ୍ରେସ ଏହାର କାର୍ଯ୍ୟକାରୀ କମିଟି ବୈଠକ ଶେଷ ଥର ପାଇଁ ଗୁଜରାଟରେ ୧୯୬୧ରେ ଆୟୋଜନ କରିଥିବା ବେଳେ ବିଜେପିକୁ ଦୃଢ଼ ମୁକାବିଲା ଦେବା ପାଇଁ ଛଅ ଦଶନ୍ଧି ପରେ ଚଳିତ ବର୍ଷ ନିର୍ବାଚନ ପୂର୍ବରୁ ବୈଠକ ସ୍ଥଳୀକୁ ଏଠାରେ ବାଛିଛି। ଏଥିରେ ଯୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ୨୦୦୪ରୁ ୨୦୧୪ ଯାଏ ଯୁପିଏ ଶାସନକାଳର ଯାବତୀୟ ସଫଳ ଉପଲବ୍ଧିକୁ ଲୋକଲୋଚନକୁ ଆଣିବା ପାଇଁ ଡ. ସିଂହ ପରାମର୍ଶ ଦେଇଥିଲେ। ସେହିପରି ସୋନିଆ ଗାନ୍ଧୀ କହିଥିଲେ ଯେ ବିଭିନ୍ନ ପ୍ରସଙ୍ଗରେ ନିଜେ ଶିକାର ଶିକାର ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସିନା କହି ବୁଲୁଛନ୍ତି, ମାତ୍ର ବାସ୍ତବରେ ତାଙ୍କ ନୀତିର ଶିକାର ହିଁ ସାରା ଦେଶବାସୀ ହୋଇଛନ୍ତି।
ବୈଠକ ପରେ ଦଳର ମୁଖପାତ୍ର ଆନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଯେଉଁ ସବୁ ମୂଲ୍ୟବୋଧ ଉପରେ ଆମ ସମ୍ବିଧାନ ପ୍ରତିଷ୍ଠିତ, ତାହାକୁ ନଷ୍ଟ କରିବା ପାଇଁ ଶାସକ ଦଳ ଚଳାଇଥିବା ଉଦ୍ୟମ ଚିନ୍ତାର ବିଷୟ ହୋଇଛି। ସମ୍ବିଧାନର ପ୍ରଣେତାଙ୍କ ପାଇଁ ତାହା ଅପମାନ ସଦୃଶ। ତେବେ କଂଗ୍ରେସ ସେହି ସବୁ ମୂଲ୍ୟବୋଧକୁ ବିଶ୍ବାସ କରେ ଏବଂ ଗୁରୁତ୍ବର ସହ ତାହା ବଜାୟ ରଖିବାକୁ ବଦ୍ଧପରିକର। ପୁଲଵାମା ଆକ୍ରମଣ ପରେ ବାୟୁସେନାର ବାଲାକେଟ ବୋମାମାଡ଼ ଘଟଣାରୁ ବିଜେପି ଅଯଥାରେ ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଛି। ସେହିପରି ଲୋକଙ୍କ ଭାବନା ସହ ଖେଳିବାକୁ ପ୍ରଧାନମନ୍ତ୍ରୀ ବେଶି ଆଗଭର ବୋଲି ଆନନ୍ଦ ଶର୍ମା ଆକ୍ଷେପ କରିଛନ୍ତି।

Advertisment

ମିଶିଲେ ହାର୍ଦ୍ଦିକ୍‌ ପଟେଲ
ଅହମଦାବାଦ୍‌ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଅହମଦାବାଦ୍‌ରେ ଆଜି କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଅବସରରେ ହାର୍ଦ୍ଦିକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ଏଣିକି ଗୁଜରାଟର ୬ କୋଟି ଲୋକଙ୍କ ପାଇଁ ସେ ଠିକ୍‌ ଭାବରେ କାର୍ଯ୍ୟ କରିପାରିବେ ବୋଲି ୨୫ ବର୍ଷୀୟ ହାର୍ଦ୍ଦିକ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ନିନ୍ଦା କରି ସେ ଏକଛତ୍ରବାଦୀ ଶାସକ ଭଳି କାର୍ଯ୍ୟ କରିବାରେ ବିଶ୍ବାସ ରଖନ୍ତିନି ବୋଲି ଟିପ୍ପଣୀ କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଖୁବ୍‌ ସ୍ପଷ୍ଟବାଦୀ କହି ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଗୁଜରାଟର ଜାମନଗର ନିର୍ବାଚନମଣ୍ଡଳୀରୁ ସେ ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି ଜଣାଯାଇଛି।

ପ୍ରିୟଙ୍କାଙ୍କ ପ୍ରଥମ ନିର୍ବାଚନୀ ଅଭିଭାଷଣpublive-image
ମୋଦୀଙ୍କ ଉପରେ ବର୍ଷିଲେ
ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ଭାବେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ପରେ ଆଜି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁଜରାଟରେ ତାଙ୍କର ପ୍ରଥମ ଅଭିଭାଷଣ ଦେଇଛନ୍ତି। ପ୍ରଥମ ନିର୍ବା‌ଚନୀ ରୢାଲିରେ ଉଦ୍‌ବୋଧନ ଦେଇ ପ୍ରିୟଙ୍କା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ନନେଇ ତାଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରିଛନ୍ତି। ମୋଦୀଙ୍କ ନିଜ ରାଜ୍ୟରେ ପ୍ରିୟଙ୍କା ଆଜି ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଲୋକମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିବା ନେତାମାନଙ୍କୁ ଏବେ ପ୍ରଶ୍ନ କରିବାର ବେଳ ଆସିଛି ବୋଲି ପ୍ରିୟଙ୍କା କହିଛନ୍ତି। ଦୁଇ କୋଟି ଚାକିରି ଏବଂ ପ୍ରତ୍ୟେକ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଟଙ୍କା ଜମା ବାବଦରେ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ଆଜିର ୮ ମିନିଟ୍‌ର ଏହି ଅଭିଭାଷଣରେ ପ୍ରିୟଙ୍କା ପ୍ରତ୍ୟେକ ନାଗରିକଙ୍କୁ ‌ଭୋଟ୍‌ ଦେବାର ଅଧିକାର ସମ୍ପର୍କରେ ସଚେତନ କରାଇ ତୁମର ଭୋଟ୍‌ ଓ ସଚେତନତା ହିଁ ତୁମର ଅସ୍ତ୍ର ବୋଲି ପ୍ରିୟଙ୍କା କହିଛନ୍ତି।