ମୁମ୍ବାଇ: ଶିବସେନା, ଏନ୍ସିପି ଏବଂ କଂଗ୍ରେସ ମେଣ୍ଟକୁ ଶକ୍ତ ଧକ୍କା ଦେଇ ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ବିଜୟ ହାସଲ କରିଛି। ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍, ପୂର୍ବତନ ରାଜ୍ୟମନ୍ତ୍ରୀ ଅନୀଲ ବଣ୍ଡେ ଏବଂ ଧନଞ୍ଜୟ ମହାଦିକ। ସେହିପରି, ଶିବସେନାର ସଞ୍ଜୟ ରାଉତ, ଏନ୍ସିପିର ପ୍ରଫୁଲ ପଟେଲ୍ ଏବଂ କଂଗ୍ରେସର ଇମ୍ରାନ୍ ପ୍ରତାପଗଡ଼ି ବାକି ୩ଟି ଆସନରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଷ୍ଠ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା। ବିଜେପି ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଶିବସେନାର ପ୍ରାର୍ଥୀ ଥିଲେ ସଞ୍ଜୟ ପାୱାର୍।
କିନ୍ତୁ, ପାୱାର ପରାସ୍ତ ହୋଇଛନ୍ତି। ସୂଚନା ମୁତାବକ ବିଜେପିରେ ପର୍ଯ୍ୟାପ୍ତ ସଂଖ୍ୟା ନଥିଲା, କିନ୍ତୁ ୧୭ ଜଣ ବିଧାୟକଙ୍କ ଭୋଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଯେଭଳି ରଣନୀତି କରିଥିଲେ ସେଥିରେ ମହା ବିକାଶ ଅଘାଡି(ଏମଭିଏ) ତିଳେମାତ୍ର ସୂଚନା ପାଇପାରିନଥିଲା | ଏହା ସହ ଫଡନାଭିସ୍ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ରାଜନୀତି କ୍ଷେତ୍ରର ଜଣେ ଅଭିଜ୍ଞ ଖେଳାଳି |
ପରାଜୟକୁ ଗ୍ରହଣ କରି ଭେଟେରାନ ଏନସିପି ନେତା ଶରଦ ପାୱାର କହିଛନ୍ତି ଯେ ଆମକୁ ଏହି ଆଶ୍ଚର୍ଯ୍ୟକୁ ଗ୍ରହଣ କରିବାକୁ ପଡିବ ଏବଂ ଦେବେନ୍ଦ୍ର ଫଡନାଭିସ୍ ସ୍ୱାଧୀନ ବିଧାୟକଙ୍କୁ ତାଙ୍କ ପକ୍ଷକୁ ଆଣିବାରେ ସକ୍ଷମ ହୋଇଥିଲେ। ଏମଭିଏ ପ୍ରାର୍ଥୀଙ୍କ ପରାଜୟ ଉପରେ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲ କହିଛନ୍ତି ଯେ ଫଡନାଭିସଙ୍କ ଗେମ ପ୍ଲାନରେ ଆମେ ଫସିଗଲୁ | ବିଜେପି ପୁରା ଯୋଜନାରେ ରାଜ୍ୟସଭା ନିର୍ବାଚନ ଲଢ଼ିଥିବାବେଳେ ଆମେ ପଛରେ ପଡ଼ିଗଲୁ |