କର୍ଣ୍ଣାଟକ କଂଗ୍ରେସର ଦାବି, ୟେଦୁରପ୍ପା ୧୮ ବିଧାୟକଙ୍କୁ ୨୦୦ କୋଟିର ଲୋଭ ଦେଖାଇଥିଲେ

‌ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଥମିବାର ନାମ ନେଉନାହିଁ। ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଘୋଡ଼ା ବେପାର ଜାରି ରଖିଛି ବୋଲି କର୍ଣ୍ଣାଟକ କଂଗ୍ରେସ ପକ୍ଷରୁ ଆଜି ଅଭି‌ଯୋଗ କରାଯାଇଛି। ବି ଏସ୍‌ ୟେଦୁରପ୍ପା ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ କଂଗ୍ରେସର ୧୮ ଜଣ ବିଧାୟକଙ୍କୁ ୨୦୦ କୋଟି ଟଙ୍କାର ପ୍ରଲୋଭନ ଦେଖାଇଛନ୍ତି ବୋଲି ଏକ ସାମ୍ବା‌ଦିକ ସମ୍ମିଳନୀରେ କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ରଣଦୀପ ସୁର୍ଯ୍ୟେବାଲା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହ କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସ ସରକାର ଭାଙ୍ଗିବା ପାଇଁ ହୋଇଥିବା ଉଦ୍ୟମରେ ମଧ୍ୟ ସାମିଲ ଅଛନ୍ତି। କଂଗ୍ରେସ ମଧ୍ୟ ଅଭିଯୋଗ କରିଛି ଯେ ୟେଦୁରପ୍ପା ବାଚସ୍ପତିଙ୍କୁ ୫୦ କୋଟି ଟଙ୍କାର ପ୍ରଲୋଭନ ଦେଖାଇଥିଲେ। ବିଜେପି ଯେ କୌଣସି ଉପାୟରେ କ୍ଷମତା ହାସଲ ପାଇଁ ଚାହୁଛି ବୋଲି ସୁର୍ଯ୍ୟେବାଲା କହିଛନ୍ତି। ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ଯେ ଯଦି ବିଜେପି ସେ ଜାରି କରିଥିବା ଅଡିଓ ଟେପ୍‌କୁ ମିଥ୍ୟା ପ୍ରମାଣିତ କରିଦେବ ତା’ହେଲେ ସେ ତାଙ୍କ ପଦରୁ ଇସ୍ତଫା ଦେବେ।

ସମ୍ବନ୍ଧିତ ଖବର