ବେଙ୍ଗାଲୁରୁ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ତାଙ୍କ ପରିବାରକୁ ନିପାତ କରିବା ଲାଗି ‘ବିଜେପି’ ଷଡ଼ଯନ୍ତ୍ର କରୁଥିବା କଥା ଆଜି କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି।

Advertisment

ଆଜି କର୍ଣ୍ଣାଟକର ବେଙ୍ଗାଲୁରୁରେ ସାମ୍ବାଦିକ ସମ୍ମିଳନୀ ଡକାଇ କର୍ଣ୍ଣାଟକର ‘ଏଆଇସିସି’ ଦାୟିତ୍ବରେ ଥିବା ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି, ‘ବିଜେପି’ ନେତାମାନେ ଏବେ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ତାଙ୍କ ପରିବାରବର୍ଗଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି।

କାହାରି ନାଁ ନ ଧରି ସୂର୍ଯ୍ୟେୱାଲା ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରିୟ ଲୋକଜଣକ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ବିରୋଧରେ ଷଡ଼ଯନ୍ତ୍ର ଚଳାଇଛନ୍ତି। ଖଡ୍‌ଗେ ଗୋଟାଏ ଦଳିତ ପରିବାରରେ ଜନ୍ମିଥିବା କଥାକୁ ‘ବିଜେପି’ ସହ୍ୟ କରିପାରୁନାହିଁ। ପ୍ରଧାନମନ୍ତ୍ରୀ ମ‌ୋଦୀ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ବିଦ୍ରୂପ କରୁଛନ୍ତି।

publive-image Image Courtesy of India Today

ସ‌େ ଆହୁରି ମଧ୍ୟ କହିଛନ୍ତି, ‘ବିଜେପି’ ବିଧାୟକ ମଦନ ଦିଲ୍‌ୱାର୍‌ ଖଡ୍‌ଗେଙ୍କ ମୃତ୍ୟୁ କାମନା କରୁଛନ୍ତି। ‘ବିଜେପି’ର ହତାଶା ଓ ଅସହାୟତା ବିପଜ୍ଜନକ ସ୍ତରରେ ପହଞ୍ଚିଲାଣି। ଏହା ହେଉଛି ପ୍ରତ୍ୟେକ କନ୍ନଡୀ ଏବଂ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବୋମ୍ମାଇ ଓ କର୍ଣ୍ଣାଟକ ପୁଲିସର ସମ୍ମାନ ଓ ଜୀବନ ଉପରେ ଆକ୍ରମଣ। କିନ୍ତୁ, ‘ନିର୍ବାଚନ କମିସନ୍‌’ ଏ ଘଟଣାରେ ମଉନ ରହିଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବ‌େଳେ ରାଜନୈତିକ ଦଳ ସବୁ ପରସ୍ପର ପ୍ରତିଦ୍ବନ୍ଦ୍ବୀ ଦଳଗୁଡ଼ିକର ପ୍ରାର୍ଥୀମାନଙ୍କୁ ତୀବ୍ର ସମାଲୋଚନା କରିବାରେ ଲାଗିଛନ୍ତି।

କର୍ଣ୍ଣାଟକ ବିଧାନସଭାର ୨୨୪ଜଣ ସଦସ୍ୟଙ୍କୁ ନିର୍ବାଚିତ କରିବା ପାଇଁ ମେ ୧୦ ତାରିଖରେ ନିର୍ବାଚନ ଆୟୋଜନ କରାଯାଇଛି।