ଟ୍ବିଟର ଆକାଉଣ୍ଟ ଲକ୍ ହେବା ପରେ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ, କହିଲା; ମୋଦୀଜୀ, ଆପଣ କେତେ ଭୟ କରୁଛନ୍ତି ?

ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ୍ ଟ୍ବିଟର ଆକାଉଣ୍ଟ ଲକ୍। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଦଳର ଅଫିସିଆଲ୍ ଆକାଉଣ୍ଟକୁ ଲକ୍ କରିଥିବା ନେଇ ସୂଚନା ଦେଇଛି । ଟ୍ବିଟର ଲକ୍ ହେବା ପରେ କଂଗ୍ରେସ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ପଚାରିଛି ଯେ, ମୋଦୀଜୀ, ଆପଣ କେତେ ଭୟ କରୁଛନ୍ତି?

ଆଜି କଂଗ୍ରେସ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟର ଏକ ସ୍କ୍ରିନସଟ୍ ସେୟାର କରିଛି, ଯେଉଁଥିରେ ଲେଖାଯାଇଛି “ଆପଣଙ୍କର ଆକାଉଣ୍ଟ ଲକ୍ ହୋଇଛି”। ଆହୁରି ମଧ୍ୟ ଲେଖାଯାଇଛି ଯେ, ଏହି ଆକାଉଣ୍ଟ ଟ୍ୱିଟର ନିୟମକୁ ଉଲ୍ଲଂଘନ କରିଛି। ନିର୍ଦ୍ଦିଷ୍ଟ ଭାବରେ, ବ୍ୟକ୍ତିଗତ ସୂଚନା ପୋଷ୍ଟ କରି ଆମର ନିୟମ ଉଲ୍ଲଂଘନ କରିଛି ଏହି ଆକାଉଣ୍ଟ| ଆପଣ ଅନ୍ୟମାନଙ୍କର ବ୍ୟକ୍ତିଗତ ସୂଚନାକୁ ସେମାନଙ୍କର  ଅନୁମତି ବିନା ପ୍ରକାଶ କିମ୍ବା ପୋଷ୍ଟ କରିପାରିବେ ନାହିଁ, ଯେଉଁଥିପାଇଁ ଆକାଉଣ୍ଟ ଲକ୍ କରାଯାଇଛି।

ଏଭଳି ଲେଖାଥିବା ସ୍କ୍ରିନସଟକୁ ସେୟାର କରି କଂଗ୍ରେସ କହିଛି ଯେ, ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା ଆମେ ଭୟଭୀତ ନଥିଲୁ, ତେବେ ଯେତେବେଳେ ଆମର ଟ୍ୱିଟର ଆକାଉଣ୍ଟ ଲକ୍ ହୋଇଗଲା ଆମେ କାହିଁକି ଭୟ କରିବୁ? ଆମେ କଂଗ୍ରେସ। ଏହା ହେଉଛି ଲୋକଙ୍କ ବାର୍ତ୍ତା; ଆମେମାନେ ଲଢ଼େଇ କରିବୁ; ଆମେ ଲଢ଼େଇ ଜାରି ରଖିବୁ |

ସମ୍ବନ୍ଧିତ ଖବର