ଦିଲ୍ଲୀରେ ଓଡ଼ିଶା ପାଇଁ କଂଗ୍ରେସର ମାରାଥନ୍‌ ବୈଠକ : ପ୍ରଦୀପ, ଭକ୍ତ, ସପ୍ତଗିରିଙ୍କୁ ହଁ

ଏକାଧିକ ପ୍ରାର୍ଥୀଙ୍କ ନାମ ଉପରେ ଜୋରଦାର କସରତ, ସିପିଆଇକୁ ଆସ୍କା, ସିପିଏମ୍‌କୁ ଭୁବନେଶ୍ବର!

ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀରେ ଓଡ଼ିଶାର କଂଗ୍ରେସ ଦଳର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ସ୍କ୍ରିନିଂ କମିଟି ବୈଠକ ଜାରି ରହିଛି। ବିଶେଷ କରି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀମାନଙ୍କ ତାଲିକା ଉପରେ ମୋହର ଲାଗିବାର ସମ୍ଭାବନା ଅଧିକ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ସ୍କ୍ରିନିଂ କମିଟିର ମାରାଥନ୍‌ ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଛି। ରିେପାର୍ଟ େଲଖା େହବା ପର୍ଯ୍ୟନ୍ତ ବୈଠକର େଠାସ୍ ନିଷ୍କର୍ଷ ଜଣାପଡିନାହିଁ। ସେହିଭଳି ଦଳୀୟ ସୂତ୍ରରୁ ବିଧିବଦ୍ଧ ଭାବେ ଚୂଡ଼ାନ୍ତ ପ୍ରାର୍ଥୀମାନଙ୍କ ନାମ ମଧ୍ୟ ଘୋଷଣା ହୋଇନାହିଁ।

ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟ‌ର ନିର୍ବାଚନ ସାମ୍ନା କରୁଥିବା ନବରଙ୍ଗପୁର ଲୋକସଭା ଆସନ ପାଇଁ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଳାହାଣ୍ଡି ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, କୋରାପୁଟ ଆସନରୁ ସପ୍ତଗିରି ଉଲାକାଙ୍କ ନାମ ଆପାତତଃ ଚୂଡ଼ାନ୍ତ ହୋଇଛି। ବ୍ରହ୍ମପୁର ଆସନରେ ଏକାଧିକ ପ୍ରାର୍ଥୀଙ୍କ ନାମ ଉପରେ ଆେଲାଚନା ଚାଲିଛି। ସିପିଆଇ ପାଇଁ ଆସ୍କା ଓ ସିପିଆଇ(ଏମ୍‌) ନିମନ୍ତେ ଭୁବନେଶ୍ବର ଲୋକସଭା ଆସନ ଛାଡ଼ିଦେବାକୁ ଆପାତତଃ ସ୍ଥିର ହୋଇଛି।

ଆଜି ପୂର୍ବାହ୍ନ ୧୧ଟାରୁ ରାଜ୍ୟସଭା ସାଂସଦ ଡ. କେ.ଭି.ବି. ରାମଚନ୍ଦ୍ର ରାଉଙ୍କ ୧୦ ଲୋଧି ଇଷ୍ଟେଟ୍‌ ବାସଭବନରେ ଏହି ବୈଠକ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା ପାଇଁ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥିସାନ୍‌, ଅନ୍ୟ ୨ଜଣ ସଦସ୍ୟ ଜିତିନ୍‌ ପ୍ରସାଦ ଓ ନୌସାଦ୍‌ ସୋଲାଙ୍କି, ଏଆଇସିସିର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ଟି.ଏସ୍‌. ସିଂହଦେଓ, ୩ଜଣ ଏଆଇସିସି ସଂପାଦକ ଅନିଲ୍‌ଚୌଧୁରୀ, ସେକ୍‌ ମସ୍ତାନ୍‌ ଅଲ୍ଲୀ ଓ ରୁଦ୍ର ରାଜୁ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଚିରଞ୍ଜୀବ ବିଶ୍ବାଳ ପ୍ରମୁଖ ଯୋଗ ଦେଇଛନ୍ତି।

ବୈଠକ ମଝିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ଏହି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିବ। ଦିନେ ଦୁଇଦିନ ମଧ୍ୟରେ ସ୍କ୍ରିନିଂ କମିଟି ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ କରି କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି)କୁ ପଠାଇବ। ବୈଠକରେ କିଛି ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡ଼ାନ୍ତ ହୋଇଛି। ଅନ୍ୟ କିଛି ଆସନ ପାଇଁ ଆଲୋଚନା ଜାରି ରହିଛି। ତେବେ ସମସ୍ତ ପ୍ରାର୍ଥୀମାନଙ୍କ ତାଲିକା ଚୂଡ଼ାନ୍ତ ହେଲେ ସିଇସିକୁ ପଠାଯିବ। ନଚେତ୍‌ ସ୍କ୍ରିନିଂ କମିଟିରେ ଯେଉଁସବୁ ନାମଗୁଡ଼ିକୁ ଚୂଡ଼ାନ୍ତ କରାଯାଉଛି ସେସବୁକୁ ସିଇସିକୁ ଖୁବଶୀଘ୍ର ପଠାଇବା ପାଇଁ ପଦକ୍ଷେପ ନିଆଯିବ। ସିଇସି ବୈଠକ କେବେ ହେବ ସେ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି ପିସିସି ସଭାପତି କହିଥିଲେ।

େସହିଭଳି ସୂଚନାନୁସାରେ, ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଉଭୟ ଜର୍ଜ ତିର୍କୀ ଓ ଡା. ପ୍ରଫୁଲ୍ଲ ମାଝୀଙ୍କ ନାମ ପ୍ରାର୍ଥୀ ତାଲିକାରେ ରହିଛି। କଟକ ଆସନ ନିମନ୍ତେ ବିଜୟଲକ୍ଷ୍ମୀ ସାହୁ ଓ ପଞ୍ଚାନନ କାନୁନ୍‌ଗୋ, ଜଗତ୍‌ସିଂହପୁର ଆସନ ପାଇଁ ବିଭୁପ୍ରସାଦ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ବ୍ରହ୍ମପୁର ଲୋକସଭା ଆସନ ନିମନ୍ତେ ସେଠାକାର ଜିଲ୍ଲା କଂଗ୍ରେସ ସଭାପତିଙ୍କ ନାମ ସହିତ ଅନ୍ୟ ଜଣେ ଆଶାୟୀଙ୍କ ନାମ ନେଇ କମିଟିରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର