ରାହୁଲଙ୍କୁ ସମର୍ଥନ ଭିତରେ ବିରୋଧୀ ଏକତାର ସମ୍ଭାବନା ଦେଖୁଛି କଂଗ୍ରେସ

ନୂଆଦିଲ୍ଲୀ : ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି। କଂଗ୍ରେସ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି। ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ଶାସକ ବିଜେପି ବିରୋଧରେ ଏକଜୁଟ କରାଇବାର ଏକ ମଉକା ମିଳିଛି କଂଗ୍ରେସକୁ। ଲୋକସଭାରେ ରାହୁଲଙ୍କ ଅଯୋଗ୍ୟ ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ଏକସ୍ବରରେ ବିରୋଧ କରିଥିଲେ। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଭଳି ସମର୍ଥନକୁ ସ୍ବାଗତ କରିଛି।

ଗାନ୍ଧି ପରିବାରର ଅନୁଗତ ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କ ସପକ୍ଷରେ ସତ୍ୟାଗ୍ରହ କରିବା ଅବସରରେ କହିଛନ୍ତି, ଦେଶ ଠିକ୍ ରାସ୍ତାରେ ଯାଉ ନ ଥିବା ବେଳେ ବିରୋଧୀମାନେ ଏହା ବିରୋଧରେ ଏକଜୁଟ ନ ହେବାରୁ ଲୋକେ ଅସନ୍ତୁଷ୍ଟ ଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଆମକୁ (କଂଗ୍ରେସକୁ) ସମର୍ଥନ କରିବା ଆରମ୍ଭ କରିଛନ୍ତି। ଏହାକୁ ନେଇ ପ୍ରତ୍ୟେକ ଦେଶବାସୀ ଖୁସି ଅଛନ୍ତି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ବିରୋଧୀମାନେ ଏଭଳି ଏକଜୁଟ ହେବା ଉଚିତ ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ବିରୋଧୀ ଏକତା ସୃଷ୍ଟିକାରୀ ପ୍ରସଙ୍ଗଗୁଡ଼ିକୁ ଉଚିତ ଢଙ୍ଗରେ ଆଗକୁ ନେବା ଉଚିତ। ପାର୍ଲାମେଣ୍ଟରେ କଂଗ୍ରେସ ଅଧ୍ୟକ୍ଷ ବିରୋଧୀ ଦଳଗୁଡ଼ିକ ଭିତରେ ସମନ୍ବୟ ରକ୍ଷା କରୁଛନ୍ତି। ପାର୍ଲାମେଣ୍ଟ ବାହାରେ ମଧ୍ୟ ଏହା ହେବା ଉଚିତ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର