ମହାରାଷ୍ଟ୍ର : ଶିବସେନାକୁ ନେଇ ମେଣ୍ଟରେ ବଢୁଛି ଫାଟ, ଅସନ୍ତୋଷ ଜାହିର କଲା କଂଗ୍ରେସ

ମୁମ୍ବାଇ : ଆଗକୁ ମହାରାଷ୍ଟ୍ରରେ ଗୁରୁତ୍ବପୂର୍ଣ୍ଣ ପୌର ନିର୍ବାଚନ ଥିବାବେଳେ ରାଜ୍ୟରେ ଶାସନ କରୁଥିବା ମହାରାଷ୍ଟ୍ର ବିକାଶ ଆଘାଡ଼ି (ଏମଭିଏ) ମେଣ୍ଟରେ ଫାଟ ଦେଖାଦେଇଛି । ଶିବସେନା ମେଣ୍ଟ ଧର୍ମ ପାଳନ କରୁନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି । ଏ ନେଇ ମହାରାଷ୍ଟ୍ରର କଂଗ୍ରେସ ନେତାମାନେ ହାଇକମାଣ୍ଡଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ବିଶେଷକରି ବୃହତ ମୁମ୍ବାଇ ମହାନଗର ପାଳିକା (ବିଏମସି) ନିର୍ବାଚନକୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ବିବାଦ ଦେଖାଦେଇଛି । ମୁମ୍ବାଇରେ କଂଗ୍ରେସକୁ ଦୁର୍ବଳ କରିବାକୁ ଏକ ବିଧିବଦ୍ଧ ଉଦ୍ୟମ ଚାଲିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତା ତଥା ବିଏମସିରେ ବିପକ୍ଷ ନେତା ଥିବା ରବି ରାଜ କହିଛନ୍ତି ଯେ ମୁମ୍ବାଇରେ ବିଏମସି ପ୍ରଶାସକମାନଙ୍କୁ କଂଗ୍ରେସ ନେତାମାନଙ୍କ ବିରୋଧରେ ଲଗାଯାଉଛି । ଏହା ସହିତ କଂଗ୍ରେସ ନେତାମାନଙ୍କ ଓ୍ବାର୍ଡଗୁଡ଼ିକର ସୀମାରେ ପରିବର୍ତ୍ତନ ଅଣାଯାଉଛି ।

ସେ କହିଛନ୍ତି ଯେ ଶିବସେନା ଭୁଲିଯାଉଛି ଯେ କଂଗ୍ରେସ ମଧ୍ୟ ମହାରାଷ୍ଟ୍ର ବିକାଶ ଆଘାଡ଼ି (ଏମଭିଏ) ମେଣ୍ଟର ଏକ ସହଯୋଗୀ ଦଳ । ଓ୍ବାର୍ଡଗୁଡ଼ିକ ପାଇଁ ଲାଗୁ ହୋଇଥିବା ସଂରକ୍ଷଣ ପଦ୍ଧତି ଠିକ ଭାବେ ପାଳନ ହୋଇନାହିଁ । ଏହି ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ପଦ୍ଧତି ଯୋଗୁଁ ୨୧ ଜଣ କଂଗ୍ରେସ ନେତା କ୍ଷତିଗ୍ରସ୍ତ ହେବେ ।

 

 

ସମ୍ବନ୍ଧିତ ଖବର