ଦେଶର କରୋନା ଦୁର୍ଦ୍ଦଶା ପାଇଁ ମୋଦୀ ସରକାର ଦାୟୀ : କଂଗ୍ରେସ

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ ଦେଶ ଭୋଗୁଥିବା ଦୁର୍ଦ୍ଦଶା ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରକୁ ଦାୟୀ କରିଛି କଂଗ୍ରେସ । ମୋଦୀ ସରକାରଙ୍କ ଅଦୂରଦର୍ଶିତା ଓ ପରିଚାଳନାଗତ ଅବ୍ୟସ୍ଥା ପାଇଁ ଦେଶ ଏଡ଼େ ବଡ଼ ସଂକଟର ସମ୍ମୁଖୀନ ହେଲା ବୋଲି କଂଗ୍ରେସର ସର୍ବୋଚ୍ଚ ନୀତିନିର୍ଦ୍ଧାରଣକାରୀ ସଂସ୍ଥା କଂଗ୍ରେସ ଓ୍ବାର୍କିଂ କମିଟି (ସିଡବ୍ଲୁସି) ପକ୍ଷରୁ ଅଭିଯ଼ୋଗ କରାଯ଼ାଇଛି ।

ସିଡବ୍ଲୁସି ବୈଠକରେ କରୋନାର ୨ୟ ଲହରକୁ ଦେଶପାଇଁ ଏକ ଅଭୁତପୂର୍ବ ସ୍ବାସ୍ଥ୍ୟସଂକଟ ବୋଲି ବର୍ଣ୍ଣନା କରାଯ଼ାଇଛି । ଏହା ମୋଦୀ ସରକାରଙ୍କ ଅପାରଗତା, ଅଦୂରଦର୍ଶିତା ଓ ସଂବେଦନହୀନତାର ପରିଣାମ ବୋଲି କଂଗ୍ରେସ କହିଛି ।
ଦେଶର ମୃତ୍ୟୁସଂଖ୍ୟାକୁ ନେଇ ମଧ୍ୟ ସିଡବ୍ଲୁସିରେ ପ୍ରଶ୍ନ ଉଠାଯ଼ାଇଛି । ସରକାର ଯ଼େତିକି ମୃତ୍ୟୁସଂଖ୍ୟା ଦର୍ଶାଉଛନ୍ତି ପ୍ରକୃତ ମୃତ୍ୟୁସଂଖ୍ୟା ତାଠାରୁ ଅଧିକ । କାରଣ କରୋନା ଦେଶର ଗାଁଗଣ୍ଡାରେ ପ୍ରବେଶ କରିସାରିଲାଣି । ଏଣୁ ଗାଁଗଣ୍ଡାରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ସରକାର ଜାଣିଶୁଣି ମୃତ୍ୟୁସଂଖ୍ୟା ଲୁଚାଉଛନ୍ତି ବୋଲି କଂଗ୍ରେସ ଅଭିଯ଼ୋଗ କରିଛି ।

କୌଣସି ସଂକଟର ସମାଧାନ ହେଉଛି ତାହାର ସମ୍ମୁଖୀନ ହେବା, ତାହାକୁ ଲୁଚାଇବା ନୁହେଁ ବୋଲି କଂଗ୍ରେସ ପକ୍ଷରୁ ଅଭିଯ଼ୋଗ କରାଯ଼ାଇଛି ।

ସମ୍ବନ୍ଧିତ ଖବର