ଭାରତୀୟ ସାମରିକ ପାଠ୍ୟକ୍ରମରେ ଗୀତା, ଅର୍ଥଶାସ୍ତ୍ରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ : ଭାରତୀୟ ସେନାର ତାଲିମ ପାଠ୍ୟକ୍ରମରେ ଶ୍ରୀମଦ୍ ଭଗବତ୍ ଗୀତା ଓ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରକୁ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ବିରୋଧ କରିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର କେ.କେ. ମିଶ୍ର କହିଛନ୍ତି ଯେ ସରକାର ସେନାରେ ରାଜନୀତି ପୁରାନ୍ତୁ ନାହିଁ । ଆମେ ମୁସଲିମ ସୈନିକଙ୍କ ସହାୟତାରେ କାରଗିଲ ଯୁଦ୍ଧ ଜିତିଥିଲୁ ।

ସାମରିକ ଶିକ୍ଷାରେ ଗୀତା, ଅର୍ଥଶାସ୍ତ୍ର ପରି ପ୍ରାଚୀନ ଭାରତୀୟ ଶାସ୍ତ୍ରରୁ ଉପଯୋଗୀ ଜ୍ଞାନକୁ ସାମିଲ କରିବାକୁ କଲେଜ ଅଫ ଡିଫେନ୍ସ ମ୍ୟାନେଜମେଣ୍ଟ (ସିଡିଏମ) ପକ୍ଷରୁ ସୁପାରିଶ କରାଯାଇଛି । ସେହିପରି ଏକ ଭାରତୀୟ ସଂସ୍କୃତି ଅଧ୍ୟୟନ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ସୁପାରିଶ କରାଯାଇଛି ।

ସିକନ୍ଦରାବାଦଠାରେ ଅବସ୍ଥିତ ସିଡିଏମ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ପ୍ରମୁଖ ସାମରିକ ତାଲିମ କେନ୍ଦ୍ର ମଧ୍ୟରୁ ଅନ୍ୟତମ । ଏଠାରେ ତିନି ବାହିନୀର ଅଫିସରମାନେ ପ୍ରତିରକ୍ଷା ପରିଚାଳନା ସମ୍ପର୍କରେ ତାଲିମ ନିଅନ୍ତି ।

ପ୍ରାଚୀନ ଭାରତୀୟ ଶାସ୍ତ୍ରଗୁଡ଼ିକରେ ଥିବା ଉପଯୋଗୀ ବିଷୟଗୁଡ଼ିକୁ ବ୍ୟବହାର କରି ଭାରତୀୟ ସାମରିକ ବାହିନୀର ଯୁଦ୍ଧନୀତିକୁ ଆହୁରି ସକ୍ଷମ କରିବା ଲକ୍ଷ୍ୟରେ ସିଡିଏମ ପକ୍ଷରୁ ଏହି ସୁପାରିଶ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚୀନ ନିଜ ସେନାର ଯୁଦ୍ଧନୀତି ପ୍ରସ୍ତୁତି କ୍ଷେତ୍ରରେ ପ୍ରାଚୀନ ବିଶାରଦ ସନ ଜୁଙ୍କ ଲିଖିତ ଆର୍ଟ ଅଫ ଓ୍ବାର (ଯୁଦ୍ଧ କଳା)କୁ ବ୍ୟବହାର କରିଥାଏ ।

 

 

ସମ୍ବନ୍ଧିତ ଖବର