ନୂଆଦିଲ୍ଲୀ : ଶନିବାର ଦିନ ସମ୍ବିଧାନ ଦିବସରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଦେଶର ଆଇନ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଓ ଆର୍ଏସ୍ଏସ୍ ଦ୍ବାରା ଦେଶରେ ଆଇନ-ବିହୀନ ଆଇନ (ଲ-ଲେସ୍ ଲ)ର ପ୍ରଚଳନ କରାଯାଇଛି। ସମ୍ବିଧାନ ଦିବସକୁ ଗର୍ବର ପାଳନ କରାଯିବା ଉଚିତ କିନ୍ତୁ ବିଜେପି ଓ ଆର୍ଏସ୍ଏସ୍ ପାଇଁ ଦେଶରେ ମୌଳିକ ଅଧିକାରର ନିରନ୍ତର ଉଲ୍ଲଂଘନ ହେଉଛି।
ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଲକ୍ଷ୍ୟ କରି ଖଡ଼ଗେ କହିଲେ ଯେ, ରାୟ ପ୍ରକାଶ ପାଇବା ପୂର୍ବରୁ ବିଚାରପତିମାନଙ୍କ ରହସ୍ୟଜନକ ମୃତ୍ୟୁ ଓ ସେମାନଙ୍କ ଆକସ୍ମିକ ବଦଳି ଲୋକଙ୍କ ନଜରକୁ ଏଡ଼ାଇ ପାରିନାହିଁ। ତା’ ଉପରେ ପୁଣି ଆଇନ ମନ୍ତ୍ରୀ କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ଆଗରେ ଭାଷଣ ମାରୁଛନ୍ତି ଯେ ‘ଆପସ୍ ମେ ଲଢ଼ନେ ସେ କୋଇ ଫାଇଦା ନହିଁ ହୈ’। ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ଆର୍ଏସ୍ଏସ୍ର ଅନୁପ୍ରବେଶ ବୃଦ୍ଧି ସଂକଟକୁ ବଢ଼ାଉଛି ଏବଂ ସରକାର ଏ କ୍ଷେତ୍ରରେ ହାତ ଟେକି ଦେଇଛନ୍ତି। ସାମାଜିକ ସେବା ନାମରେ ଆର୍ଏସ୍ଏସ୍ ଦେଶରେ ଘୃଣାତ୍ମକ ପ୍ରଚାର ବୃଦ୍ଧି କରୁଛି ବୋଲି ଖଡ଼ଗେ କହିଥିଲେ।