ଜୟପୁର: ଚଳିତବର୍ଷ ଶେଷ ଆଡ଼କୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବା ବେଳେ କଂଗ୍ରେସର ଏକ ଆଭ୍ୟନ୍ତରୀଣ ସର୍ଭେରୁ ଜଣାପଡ଼ିଛି ଯେ ଏହି ନିର୍ବାଚନରେ ଶାସକ ଦଳର ଅଧା ବିଧାୟକ ହାରିବେ। ୨୦୧୮ ନିର୍ବାଚନରେ ଏଠାରେ କଂଗ୍ରେସର ୯୯ ଜଣ ବିଧାୟକ ଜିତିଥିବା ବେଳେ ଆସନ୍ତା ନିର୍ବାଚନରେ ସେମାନଙ୍କ ମଧ୍ୟରୁ ଅଧାଅଧି ବିଧାୟକ ପରାଜୟର ମୁହଁ ଦେଖିପାରନ୍ତି ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଅନେକ ମନ୍ତ୍ରୀଙ୍କ ପ୍ରଦର୍ଶନ ଭଲ ନାହିଁ ଏବଂ ଲୋକମାନେ ସେମାନଙ୍କୁ ଆଉ ପସନ୍ଦ କରୁନାହାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଅଶୋକ ଗେହଲଟ ସରକାରଙ୍କ ସ୍ଥିତି ନେଇ ରିପୋର୍ଟରେ କେତେକ ସକାରାତ୍ମକ ସଂକେତ ଦିଆଯାଇଛି। ଏପ୍ରିଲ ୧୭ରୁ ୨୦ ଭିତରେ ମୁଖ୍ୟମନ୍ତ୍ରୀ ଗେହଲଟ, ଦଳ ଅଧ୍ୟକ୍ଷ ଗୋବିନ୍ଦ ଦୋତସରା ଏବଂ ପ୍ରଭାରୀ ସୁଖଜିନ୍ଦର ସିଂହ ରନ୍ଧୱା ବିଧାୟକ ଓ ମନ୍ତ୍ରୀମାନଙ୍କ ସହ ଜଣଜଣ କରି ଆଲୋଚନା କରି ସେମାନଙ୍କ ସ୍ଥିତି ବିଷୟରେ ସ୍ପଷ୍ଟ କରିଥିଲେ। ରନ୍ଧୱା ଅନେକ ବିଧାୟକଙ୍କ ସହ ସିଧାସଳଖ କଥାବାର୍ତ୍ତା କରି ଏଥର ସେମାନଙ୍କ ପାଇଁ ଜିତିବା ମୁସ୍କିଲ ହୋଇପଡ଼ିବ ବୋଲି ସୂଚାଇଥିଲେ। ତେଣୁ ସମୟ ଥାଉ ଥାଉ ବିଧାୟକ ଓ ମନ୍ତ୍ରୀମାନେ ସେମାନଙ୍କ ସ୍ଥିତି ସୁଧାରିବାକୁ ଓ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏଥର ୯୩ଟି ଆସନରେ କଂଗ୍ରେସର ସ୍ଥିତି ଦୁର୍ବଳ ଅଛି ବୋଲି ଦଳ ଅନୁଧ୍ୟାନ କରି ଜାଣିପାରିଛି। ସେଥି ମଧ୍ୟରୁ ୫୨ଟି ଆସନରେ କଂଗ୍ରେସ ଗତ ୨୦୦୮, ୨୦୧୩ ଓ ୨୦୧୮ ତିନିଟା ନିର୍ବାଚନରେ ପରାଜିତ ହୋଇଥିଲା। ୨୦୧୩ ନିର୍ବାଚନକୁ ବି କଂଗ୍ରେସ ଭୁଲିନାହିଁ, ଯେତେବେଳେ ଶାସକ କଂଗ୍ରେସ ମାତ୍ର ୨୧ଟି ଆସନ ହାତେଇଥିଲା ଏବଂ ଦଳର ୩୧ ମନ୍ତ୍ରୀ ଓ ୭୦ ବିଧାୟକ ସେମାନଙ୍କ ଆସନ ରକ୍ଷା କରିବାରେ ସଫଳ ହୋଇପାରି ନ ଥିଲେ। ଏଥର କଂଗ୍ରେସ କିଛି ନୂଆ ମୁହଁଙ୍କୁ ମଧ୍ୟ ଟିକେଟ୍ ଦେବା କଥା ଚିନ୍ତା କରୁଥିବା ଜଣାପଡ଼ିଛି। ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିମାନଙ୍କୁ ବି ଦଳ ଟିକେଟ୍ ଦେଇପାରେ। ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରିବା ପାଇଁ ସାଂଗଠନିକ ସ୍ତରରେ ମଧ୍ୟ ଅନେକ ଅଦଳବଦଳ କରାଯିବ। ଆଗାମୀ ୧୦ ଦିନ ଭିତରେ ୨ ଡଜନରୁ ଅଧିକ ଜିଲ୍ଲାରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରାଯିବ। ରାଜ୍ୟ କଂଗ୍ରେସର ଏକ ନୂଆ କମିଟି ଗଠନ କରାଯିବ। କୌଣସି ମିଟିଂରେ ଯୋଗ ଦେଉ ନ ଥିବା ଦଳର ନିଷ୍କ୍ରିୟ ସଦସ୍ୟମାନଙ୍କୁ ବାଦ୍ ଦିଆଯିବ।