ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାରେ କଂଗ୍ରେସ ବିରୋଧରେ ଗର୍ଜିଛନ୍ତି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ନେଇ ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ କଂଗ୍ରେସର ସମଗ୍ର ଶାସନ କାଳରେ ଅପାରଗତାକୁ ପ୍ରୋତ୍ସାହିତ କରାଯାଇଥିଲା ଏବଂ ଅବହେଳିତ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ କଂଗ୍ରେସର କୌଣସି ଆନ୍ତରିକତା ନଥିଲା। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ସବୁ ପ୍ରକାର ସଂରକ୍ଷଣକୁ ବିରୋଧ କରୁଥିଲେ ଏବଂ ପଛୁଆ ବର୍ଗର ବିକାଶ ଚାହୁନଥିଲେ ବୋଲି ମୋଦୀ କହିଛନ୍ତି।

Advertisment

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନେହରୁ ଥରେ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ କହିଥିଲେ, ସେ ସଂରକ୍ଷଣ ବିରୋଧୀ ଏବଂ ଏହି ବ୍ୟବସ୍ଥା ଅପାରଗ ଓ ଅଣମେଧାବୀ ଲୋକଙ୍କୁ ପ୍ରୋତ୍ସାହନ ଦେଉଛି। ନେହରୁ ଏହି ଚିଠରେ ଉଲ୍ଲେଖ କରିଥିଲେ- ‘ଯଦି ଏସ୍‌ସି, ଏସ୍‌ଟି କିମ୍ବା ଓବିସିଙ୍କୁ ଚାକିରିରେ ସଂରକ୍ଷଣ ମିଳେ ତେବେ ସରକାରରେ କାର୍ଯ୍ୟର ମାନ ହ୍ରାସ ପାଇବ।’ ଏଭଳି ଧାରଣା ନେଇ ନେହରୁ ନିଯୁକ୍ତି ମଧ୍ୟ ବନ୍ଦ କରିଦେଇଥିଲେ। ନେହେରୁଙ୍କ ଏହି ଚିନ୍ତାଧାରାକୁ ହିଁ କଂଗ୍ରେସ ଆଗକୁ ବଢ଼ାଇ ଆସିଛି ବୋଲି ମୋଦୀ କହିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି, ଏହି ଦଳ ସର୍ବଦା ଅନୁସୂଚିତ ଜାତିଙ୍କ ସ୍ୱାର୍ଥବିରୋଧୀ କାମ କରିଆସିଛି। ରାଜ୍ୟସଭାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦେଇଥିବା ‘୪୦୦ ପାର’ ଭାଷଣକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ଏକ ବୟାନକୁ ଉଲ୍ଲେଖ କରିଥିଲେ। ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୪୦ ଆସନ ଅତିକ୍ରମ କରିପାରିବ ନାହିଁ ବୋଲି ମମତା କହିଥିବାରୁ ଏ ନେଇ ମୋଦୀ କହିଥିଲେ ଯେ ମୁଁ ପ୍ରାର୍ଥନା କରୁଛି, ଆପଣ ୪୦ଟି ଆସନ ନିଜ ପାଖରେ ରଖିବା ପାଇଁ ସମର୍ଥ ହୁଅନ୍ତୁ। ତେବେ ଖଡ଼ଗେ କିଭଳି ଏନ୍‌ଡିଏ ୪୦୦ ପାର୍‌ କରିବ ବୋଲି କହିଲେ ତାହା ଏକ ରୋଚକ ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ- ମୁଁ ଯେତେବେଳେ ଭାଷଣ ଶୁଣିଲି ଭାବୁଥିଲି ଖଡ଼ଗେଜୀ ଏତେ କଥା କହିବାକୁ ସ୍ୱାଧୀନତା କେମିତି ପାଇଲେ। ତା’ପରେ ମୁଁ ଦେଖିଲି ଯେ ସେହି ‘ଦୁଇ କମାଣ୍ଡର’ ସେଠାରେ ନାହାନ୍ତି। ଖଡ଼ଗେଜୀ ଭାବିଥିଲେ, ଐସା ମୌକା ଫିର୍‌ କାହାଁ ମିଲେଗା (ଏଭଳି ସୁଯୋଗ ପୁଣି କେବେ ଆସିବ) ଏବଂ ଏହି ସୁଯୋଗରେ ସେ ଚୌକା ମାରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

‘ଦଶନ୍ଧି ଧରି ଶାସନ କରୁଥିବା ଏତେ ବଡ଼ ଦଳକୁ ଏବେ ଏଭଳି ପତନ ଦେଖିବାକୁ ମିଳିଛି। ଗଣତନ୍ତ୍ରକୁ ହତ୍ୟା କରିଥିବା, ନିର୍ବାଚିତ ସରକାରକୁ ଭାଙ୍ଗିଦେଇଥିବା, ଗଣମାଧ୍ୟମକୁ ତାଲା ପକାଇବାକୁ ଚେଷ୍ଟା କରିଥିବା ଏବଂ ଦେଶକୁ ଭାଙ୍ଗିବାକୁ ଚେଷ୍ଟା କରିଥିବା କଂଗ୍ରେସ ଏବେ ଉତ୍ତର ଓ ଦକ୍ଷିଣ ବିଭାଜନ ପାଇଁ ବୟାନ ଦେଉଛି। କଂଗ୍ରେସ ନେତା ଓ ସେମାନଙ୍କ ନୈତିକତାର କୌଣସି ଗ୍ୟାରେଣ୍ଟି ନଥିବା ବେଳେ ସେମାନେ ମୋଦୀ ଗ୍ୟାରେଣ୍ଟି ଉପରେ ପ୍ରଶ୍ନ ଉଠାଇବାକୁ ଚାହୁଁଛନ୍ତି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ପରେ ମଧ୍ୟ ଦାସତ୍ବ ମାନସିକତାକୁ କଂଗ୍ରେସ ହିଁ ପ୍ରୋତ୍ସାହିତ କରିଚାଲିଲା ଏବଂ ଦେଶକୁ ଏହା ଦୁର୍ବଳ କରି ରଖିବାର ଏକ ପ୍ରୟାସ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।