ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ; ବିଜେପି ଏବେ ଭାରତୀୟ ଜାସୁସୀ ପାର୍ଟି : କଂଗ୍ରେସ

ନୂଆଦିଲ୍ଲୀ :  ପେଗାସସ୍ ଗୁଇନ୍ଦାଗିରି ମାମଲାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଫଳରେ ଆଜି  ସଂସଦର ଗୃହକାର୍ଯ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଛି ।

କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ଯଦି ଏହା ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ନୁହେଁ, ତେବେ ଆଉ କ’ଣ ?

କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେଓ୍ବାଲା କହିଛନ୍ତି ଯେ ସରକାର ଏବେ ନିଜ ଲୋକମାନଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି । ଯଦି ଏହା ଏକ ରାଷ୍ଟ୍ରବିରୋଧୀ କାର୍ଯ୍ୟ ନୁହେଁ, ତେବେ ଆଉ କ’ଣ ? ବିଜେପି ଏବେ ଭାରତୀୟ ଜାସୁସୀ ପାର୍ଟିରେ ପରିଣତ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ ଗୁଇନ୍ଦାଗିରି କରି ମୋଦୀ କେଉଁପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଲଢୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତେବେ ଲୋକସଭାରେ ଏକ ବୟାନ ରଖି କେନ୍ଦ୍ର ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଭାରତରେ ବେଆଇନ ଗୁଇନ୍ଦାଗିରି କରିବା ସମ୍ଭବ ନୁହେଁ । ସଂସଦର ମୌସୁମୀ ଅଧିବେଶନର ଦିନକ ପୂର୍ବରୁ ଏକ ନ୍ୟୁଜ ପୋର୍ଟାଲରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା କେବଳ ଏକ ସଂଯୋଗ ମାତ୍ର ନୁହେଁ । ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ।

ସମ୍ବନ୍ଧିତ ଖବର