ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡି ମେଣ୍ଟର ଅତ୍ୟନ୍ତ ଚମତ୍କାର ପ୍ରଦର୍ଶନ ହୋଇଛି। ବିଶେଷ କରି ରାଏବରେଲି ଏବଂ ଆମେଥି ଆସନରେ ଭୋଟରମାନେ କଂଗ୍ରେସକୁ ଯେଉଁ ବିଜୟ ଦେଇଛନ୍ତି ସେଥିପାଇଁ ଦଳ ଭୋଟରମାନଙ୍କୁ ଧନ୍ୟବାଦ ଜଣାଇବାକୁ ଧନ୍ୟବାଦ ଯାତ୍ରା ଆରମ୍ଭ କରିଛି। ୫ ଦିନିଆ ଧନ୍ୟବାଦ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଏହି ଯାତ୍ରାରେ ଯୋଗ ଦେଇଛନ୍ତି।
ଉତ୍ତରପ୍ରଦେଶର ସମସ୍ତ ୮୦ଟି ଲୋକସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଏହି ଯାତ୍ରା ଚାଲିବ। ଆଜି ରାଏବରେଲିରେ ଉଦବୋଧନ ଦେଇ ରାହୁଲ ଗାନ୍ଧୀ ଆମେଥି ଏବଂ ରାଏବରେଲି ନିର୍ବାଚନ ଫଳ ପାଇଁ ଭୋଟରମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ସଭାରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯଦି ବାରାଣସୀ ଆସନରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିଥାନ୍ତେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ୨-୩ ଲକ୍ଷ ଭୋଟ୍ରେ ହାରି ଯାଇଥାନ୍ତେ। ମୋଦୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାଧାରଣ ଲୋକଙ୍କୁ ଅଣଦେଖା କରି ଶିଳ୍ପପତିଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ତେଣୁ ଅଯୋଧ୍ୟାର ଲୋକମାନେ ବିଜେପିକୁ ହରାଇ ଏହାର ଶିକ୍ଷା ଦେଇଛନ୍ତି। ରାହୁଲ କହିଛନ୍ତି, ଏହା ଏକ ଐତିହାସିକ ବିଜୟ ଥିଲା। ମୁଁ ଅତ୍ୟନ୍ତ ଗର୍ବର ସହ ଏହା କହୁଛି ଯେ ଆପଣମାନେ ଦେଶରେ ରାଜନୀତିକୁ ସ୍ବଚ୍ଛ କରିବାକୁ ଚାହାନ୍ତି ବୋଲି ଦେଶବ୍ୟାପୀ ସ୍ପଷ୍ଟ ବାର୍ତ୍ତା ପଠାଇଛନ୍ତି।