ନୂଆଦିଲ୍ଲୀ: କଂଗ୍ରେସର ୩ ଦିନିଆ ମହାଅଧିବେଶନ ଆଜିଠାରୁ ଦିଲ୍ଲୀର କନ୍ଷ୍ଟିଚ୍ୟୁସନ କ୍ଲବ୍ରେ ଆରମ୍ଭ ହୋଇଛି। ଏହି ଅଧିବେଶନରେ ଗୃହୀତ ହେବାକୁ ଥିବା ରାଜନୈତିକ ପ୍ରସ୍ତାବ, କୃଷି, ରୋଜଗାର ଓ ଦୁର୍ନୀତି ଭଳି ୫ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ତାହାକୁ ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ମହାଅଧିବେଶନରେ ଉଦ୍୍ଘାଟନୀ ଭାଷଣ ଦେବେ। କାଲିଠାରୁ ୨ ଦିନ ଧରି ମହାଅଧିବେଶନ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ସ୍ଲୋଗାନ ରହିଛି ‘ସମୟ ପରିବର୍ତ୍ତନର।’ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ କହିବା ଅନୁସାରେ ପ୍ରଥମ ଥର ପାଇଁ ମହା ଅଧିବେଶନରେ ବରିଷ୍ଠ ନେତାମାନଙ୍କ ସହିତ ଜିଲ୍ଲା ଓ ବ୍ଲକ୍ସ୍ତରୀୟ ନେତାଙ୍କୁ ମଧ୍ୟ କହିବା ସୁଯୋଗ ମିଳିବ।
ଏହି ମହାଅଧିବେଶନରେ ୧୫ ହଜାର କଂଗ୍ରେସ କର୍ମୀ ଯୋଗଦେଉଛନ୍ତି। ଓଡ଼ିଶାରୁ ପ୍ରାୟ ୨୦୦ କଂଗ୍ରେସ ନେତା ଆସି ପହଞ୍ଚିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି, ବିରୋଧୀ ଦଳ ନେତା, ପୂର୍ବତନ ପିସିସି ସଭାପତି, ପୂର୍ବତନ ମନ୍ତ୍ରୀ, ବିଧାୟକ, ପୂର୍ବତନ ବିଧାୟକଙ୍କ ସମେତ ବ୍ଳକ୍ ଓ ଜିଲ୍ଲାସ୍ତରରୁ ନେତାମାନେ ମହାଅଧିବେଶନରେ ଯୋଗ ଦେଉଛନ୍ତି। ମହାଅଧିବେଶନରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାର୍ତ୍ତାକୁ ନେଇ ଓଡ଼ିଶାର ଘରେ ଘରେ ପହଞ୍ଚାଇବା ପାଇଁ ଦଳୀୟ ନେତାମାନେ ମତ ଦେଇଛନ୍ତି। ଓଡ଼ିଶାରେ ଦଳକୁ ସଜାଡ଼ିବା ନିମନ୍ତେ ରାହୁଲଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କିଛି ନେତା କହିଛନ୍ତି। ଓଡ଼ିଶାର କିଛି ନେତାଙ୍କୁ ଏଆଇସିସି ତାଲିକାରୁ ବାଦ ଦିଆଯିବା ସତ୍ତ୍ୱେ ସେମାନେ ୧୭ ଓ ୧୮ ତାରିଖ ମହାଅଧିବେଶନରେ ଯୋଗଦେବେ ବୋଲି କହିଛନ୍ତି। ଏହି ଅବସରରେ ରାହୁଲ କୋର୍ କମିଟିର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ ଏବଂ ଓଡ଼ିଶାର କିଛି ନେତା ମଧ୍ୟ ରାହୁଲଙ୍କୁ ଭେଟିବା ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/rahul-gandhi-talk-afp.jpg)