ନୂଆଦିଲ୍ଲୀ: ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସ ପକ୍ଷରୁ ଆଗୁଆ ଟିେକଟ ଘୋଷଣା ସମ୍ଭାବନା କ୍ଷୀଣ। ଆଜି ପ୍ରାର୍ଥୀ ଚୟନ ପାଇଁ ଦିଲ୍ଲୀର ୧୧, ତାଲକୋଟରା ରୋଡ୍ରେ ବସିଥିବା ଯାଞ୍ଚ (ସ୍କ୍ରିନିଂ) କମିଟି ବୈଠକ ପରେ ଏଭଳି ସଙ୍କେତ ମିଳିଛି। କଂଗ୍ରେସ ପକ୍ଷରୁ ଆଜି ଅନୁଷ୍ଠିତ ଯାଞ୍ଚ କମିଟି ବୈଠକରେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ସମ୍ଭାବ୍ୟ ଆଶାୟୀଙ୍କୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ଅବସରରେ ଆଶାୟୀଙ୍କ ସଂକ୍ଷିପ୍ତ ତାଲିକା କରାଯାଇଥିବାର ଜଣାପଡ଼ିଛି। ଯାଞ୍ଚ କମିଟି ବୈଠକ ଆସନ୍ତା ମାସ ୯ରେ ପୁନର୍ବାର ହେବ। ସେ ଦିନ ଓଡ଼ିଶାର ୧୪୭ ବିଧାନସଭା ପାଇଁ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା କରାଯିବ।
ଆଜି ଦୀର୍ଘ ୩ ଘଣ୍ଟା ଧରି ଯାଞ୍ଚ କମିଟି ବୈଠକ ବସିଥିଲା। ଏଥିରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ କମିଟିର ଦୁଇ ସଦସ୍ୟ ସୂରଜ ହେଗଡ଼େ ଓ ସାଫି ପରମବିଲ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ, ଏଆଇସିସି ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର, ସହ-ପ୍ରଭାରୀ ଖ୍ରୀଷ୍ଟୋଫର ତିଳକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗଦେଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ପ୍ରଗମନ ଆପ ତଥା ଜିଲ୍ଲା କଂଗ୍ରେସ ସଭାପତିଙ୍କ ନିକଟରୁ ଆସିଥିବା ୭୫୦ରୁ ଅଧିକ ଆଶାୟୀଙ୍କ ନାମ ଆଜି ଆଲୋଚନା ଟେବୁଲରେ ସାମିଲ ହୋଇଥିଲା। ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୫ ରୁ ୨୦ ଆଶାୟୀ ଆବେଦନ କରିଥିବା ବୈଠକରେ ଯାଞ୍ଚ କମିଟି ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଥିଲା।
ଯାଞ୍ଚ କମିଟି ଅଧ୍ୟକ୍ଷ ଶ୍ରୀ ମିସ୍ତ୍ରୀ ଅଧିକାଂଶ ଆଶାୟୀଙ୍କ ଆବେଦନକୁ ଟିକିନିଖି ଅନୁଧ୍ୟାନ କରିଥିବାର ଜଣାପଡିଛି। ସେହିଭଳି ୧୪୭ ବିଧାନସଭା ଆସନ ପାଇଁ ତିନି ହଜାରରୁ ଅଧିକ ଆଶାୟୀ ଆବେଦନ କରିଥିବା ମଧ୍ୟ ବୈଠକରେ ଅବଗତ କରାଯାଇଥିଲା। ହେଲେ ଆଜିର ଅଲୋଚନା ସଂମ୍ପୂର୍ଣ୍ଣ ଭାବେ ୨୧ ଲୋକସଭା ଉପରେ କେନ୍ଦ୍ରିତ ରହିଥିବାରୁ ମାର୍ଚ୍ଚ ୯ରେ ବିଧାନସଭା ଆଶାୟୀଙ୍କ ସଂପର୍କରେ ଆଲୋଚନା କରାଯିବ। ମାର୍ଚ୍ଚ ୯ ତାରିଖ ଯାଞ୍ଚ କମିଟି ବୈଠକ ପରେ ଆଶାୟୀଙ୍କ ସଂକ୍ଷିପ୍ତ ତାଲିକା କେନ୍ଦ୍ରୀୟ ନିର୍ବାଚନ କମିଟିକୁ ପଠାଯିବ। ବୈଠକରେ ୨୧ ଲୋକସଭା ଆସନରେ ଆଶାୟୀଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରାଯାଇଛି। ଅନ୍ୟପକ୍ଷରେ, ଇଣ୍ଡିଆ ମେଣ୍ଟ ପ୍ରସଙ୍ଗରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମେଣ୍ଟଭୁକ୍ତ ଦଳ ମଧ୍ୟରେ ଆସନ ବୁଝାମଣାକୁ ନେଇ କେନ୍ଦ୍ରୀୟ ନେତୃତ୍ବ ବିଚାର କରିବ। ଏ ନେଇ ବିଚାରବିମର୍ଶ ଚାଲିଛି।