କଂଗ୍ରେସ ସମୟର ୮୫% ଲୁଟ୍‌କୁ ରୋକିଛୁ: ମୋଦୀ

ବାରଣାସୀ: ନିଜ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ତମ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଦୀର୍ଘବର୍ଷ ଧରି କଂଗ୍ରେସ ଦେଶରେ ଶାସନ କରିଥିଲେ ମଧ୍ୟ ଦୁର୍ନୀତିକୁ ବନ୍ଦ କରିବା ଲାଗି କୌଣସି ପଦକ୍ଷେପ ନେଇ ନଥିଲା। କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ନାମ ନନେଇ ସେ କହିଥିଲେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ କହିଥିଲେ ଦିଲ୍ଲୀରୁ ‌ଲୋକଙ୍କ ନିକଟକୁ ୧ ଟଙ୍କା ପଠାଗଲେ ଲୋକଙ୍କ ନିକଟରେ ୧୫ ପଇସା ପହଞ୍ଚୁଛି। ୮୫ ପ୍ରତିଶତ ଅର୍ଥ ବାଟମାରଣା ହୋଇଯାଉଛି। କଂଗ୍ରେସ ସରକାର ରୋଗକୁ ଚିହ୍ନଟ କରିଥିଲେ ମଧ୍ୟ ଏହାର ଚିକିତ୍ସା କରି ନଥିଲା। ବିଜେପି ସରକାର ସାଢ଼େ ୪ ବର୍ଷର ଶାସନ ଭିତରେ ଏହି ୮୫ ପ୍ରତିଶତ ଲୁଟ୍‌କୁ ରୋକିପାରିଛି। ବିଭିନ୍ନ ଯୋଜନା ମାଧ୍ୟମରେ ସରକାର ଗତ ସାଢ଼େ ୪ ବର୍ଷ ମଧ୍ୟରେ ଲୋକଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ପ୍ରାୟ ୮୦ ବିଲିଅନ ଡଲାର ବା ୫ ଲକ୍ଷ ୮୦ ହଜାର ଟଙ୍କା ଜମା କରିଛନ୍ତି ବୋଲି ମୋଦୀ କହିଛନ୍ତି। ସରକାର ପାସପୋର୍ଟ ଓ ଭିସା ବ୍ୟବସ୍ଥାକୁ କୋହଳ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାସପୋର୍ଟ ସେବା ପ୍ରକଳ୍ପ ସହିତ ରାଷ୍ଟ୍ରଦୂତ ଓ ବାଣିଜ୍ୟିକ ଦୂତାବାସ କାର୍ଯ୍ୟାଳୟ ଗୁଡ଼ିକୁ ଯୋଡ଼ାଯାଉଛି। ସମସ୍ତଙ୍କ ପାଇଁ ପାସପୋର୍ଟ ସଂକ୍ରାନ୍ତ ସେବା କ୍ଷେତ୍ରରେ ଏକ କେନ୍ଦ୍ରୀକୃତ ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି। ଏ କ୍ଷେତ୍ରରେ ସରକାର ଆଉ ପାଦେ ଆଗକୁ ଯାଇ ଚିପ୍ ଲାଗିଥିବା ଇ-ପାସପୋର୍ଟ ପ୍ରଦାନ କରିବା ଲାଗି କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭାରତର ବ୍ରାଣ୍ଡ୍ ଆମ୍ବାସଡର ଆଖ୍ୟା ଦେଇଛନ୍ତି। ଦେଶର ସାମର୍ଥ୍ୟର ସେମାନେ ପ୍ରତୀକ ବୋଲି କହିଛନ୍ତି। ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ଚଳିତବର୍ଷର ପ୍ରବାସୀ ଭାରତୀୟ ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦବୋଧନ ଦେଇଥିଲେ। ସମ୍ମିଳନୀରେ ଚଳିତବର୍ଷ ପ୍ରାୟ ୫ ହଜାର ପ୍ରବାସୀ ଭାରତୀୟ ଯୋଗ ଦେଇଛନ୍ତି। ସମ୍ମିଳନୀ ୨୩ ତାରିଖରେ ଶେଷ ହେବ। ଏହାପରେ ପ୍ରବାସୀ ଭାରତୀୟମାନେ ୨୪ ତାରିଖରେ କୁମ୍ଭମେଳା ବୁଲି ଦେଖିବେ ଏବଂ ଏହାପରେ ୨୬ ତାରିଖରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସର ପ୍ୟାରେଡ ଦେଖିବେ। ପ୍ରବାସୀ ଭାରତୀୟ ଦିବସ ପ୍ରତିବର୍ଷ ଜାନୁଆରି ୯ ତାରିଖରେ ପାଳନ ହେଉଥିଲେ ମଧ୍ୟ କୁମ୍ଭମେଳାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହାକୁ ଜାନୁଆରି ୨୧ରେ ଆୟୋଜନ କରାଯାଇଛି। ଏହି ସମ୍ମିଳନୀରେ ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ, ଉତ୍ତର ପ୍ରଦେଶ ରାଜ୍ୟପାଳ ରାମ ନାଏକ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର