ଆସନ୍ତାକାଲି କଂଗ୍ରେସ ପାଳନ କରିବ ‘କୃଷକ ବିଜୟ ଦିବସ’

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଜି ୩ଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ଦେଶର ରାଜନୀତି ସରଗରମ ହୋଇଉଠିଛି  । କଂଗ୍ରେସ ଏହାକୁ କୃଷକଙ୍କ ବିଜୟ ବୋଲି କହିଛି । ଏଥିପାଇଁ ଆସନ୍ତାକାଲି ଦଳ ପକ୍ଷରୁ ସାରା ଦେଶରେ କୃଷକ ବିଜୟ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଉପଲକ୍ଷେ ଜନସଭା ଓ ଶୋଭାଯାତ୍ରା ଆୟୋଜନ କରିବାକୁ କଂଗ୍ରେସ ପକ୍ଷରୁ ନିଜର ରାଜ୍ୟ ୟୁନିଟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ କଂଗ୍ରେସ ସାଂଗଠନିକ ସଚିବ କେ.ସି.ଭେନୁଗୋପାଳ ରାଜ୍ୟ ୟୁନିଟ ଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହା ପୂର୍ବରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଥିଲେ ଯେ ଦେଶର ଅନ୍ନଦାତାଙ୍କ ବିଜୟ ହୋଇଛି । ଏକ ଗଣତାନ୍ତ୍ରିକ ଦେଶରେ ସବୁ ନିଷ୍ପତ୍ତି ସମସ୍ତଙ୍କ ସହମତିରେ ହେବା ଉଚିତ । ମୋଦୀ ସରକାର ଏଥିରୁ ଶିକ୍ଷା ପାଇଥିବେ ବୋଲି ସେ କହିଥିଲେ।

ସୂଚନଯୋଗ୍ୟ ଯେ ଆଜି ସକାଳେ ମୋଦୀ କୃଷି ଆଇନ ପ୍ରତ୍ୟାହାର ବିଷୟରେ ଘୋଷଣା କରିଥିଲେ । ସଂସଦର ଶୀତକାଳୀନ ଅଧିବେଶନରେ କୃଷିଆଇନ ପ୍ରତ୍ୟାହାର ପାଇଁ ବିଲ ଆସିବ । ଗତ ବର୍ଷ ସଂସଦରେ ଏହି ୩ଟି କୃଷି ଆଇନ ଗୃହୀତ ହୋଇଥିଲା । କିନ୍ତୁ ଏହାର ବିରୋଧରେ ଗତ ବର୍ଷ ନଭେମ୍ବରଠାରୁ କୃଷକମାନେ ଆନ୍ଦୋଳନ ଚଳାଇଥିଲେ । ଚଳିତ ବର୍ଷ ଜାନୁଆରି ୨୬ ଗଣତନ୍ତ୍ର ଦିବସରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ।

ସମ୍ବନ୍ଧିତ ଖବର