ମୁମ୍ବାଇ: କଂଗ୍ରେସର ଅନ୍ୟନାମ ପାଲଟୁଛି କନ୍ଦଳ । ପଞ୍ଜାବ, ରାଜସ୍ଥାନ ଓ ମଣିପୁରରେ ଦଳ ଭିତରେ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୁଣି ମହାରାଷ୍ଟ୍ରରେ ବି ମେଣ୍ଟ ଭିତରେ କଂଗ୍ରେସ କନ୍ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲଙ୍କ ବୟାନ ଏବେ ମହାରାଷ୍ଟ୍ର ସରକାର ପ୍ରତି ବିପଦ ସୃଷ୍ଟି କରିଛି । ନାନା କହିଛନ୍ତି କି, ମହାରାଷ୍ଟ୍ରରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଏକାକୀ ଲଢିବ । ଦଳ ମହାବିକାଶ ଅଗାଡି ମେଣ୍ଟର କୌଣସି ଦଳ ସହ ମେଣ୍ଟ କରିବ ନାହିଁ । ନାନାଙ୍କ ଏଭଳି ବୟାନ ପରେ ମେଣ୍ଟ ସରକାର ପ୍ରତି ବିପଦ ଦେଖା ଦେଇଛି ।
ରାହୁଲ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଆଇସିସି ଦାୟିତ୍ୱରେ ଥିବା ଏଚ୍.କେ ପାଟିଲ, ଦଳର ସାଂଗଠନିକ ସାଧାରଣ ସଂପାଦକ କେ.ସି ଭେନୁଗୋପାଲ ବି ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ନାନା ପାଟୋଲ ଯୋଗଦେଇ ମହାବିକାଶ ଅଗାଡି ମେଣ୍ଟରେ କଂଗ୍ରେସକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନ୍ୟପଟେ ଏହି ବୈଠକରେ ମହାରାଷ୍ଟ୍ରରେ ଦଳକୁ ଶକ୍ତିଶାଳୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି ।
/sambad/media/post_attachments/cf2694673d8d876def5d4f94040d8f0e891d6a678eefbb9c5c217241185ebdb6.jpeg)
ଗଣମାଧ୍ୟମକୁ ସୂଚନା ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି ମହାରାଷ୍ଟ୍ରର ସ୍ଥିତିକୁ ଦେଖିଲେ ଅନ୍ୟ ଦଳ ତୁଳନାରେ କଂଗ୍ରେସର ସ୍ଥିତି ଭଲ ରହିଛି । ତେଣୁ ବିଧାନସଭା ନିର୍ବାଚନକୁ ୩ ବର୍ଷ ବାକି ଥିବାରୁ ଏବେଠାରୁ ସଂଗଠନର ବିକାଶ ପାଇଁ ଦଳକୁ ଏକାକୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢି ତୃଣମୂଳ ସ୍ତରରେ ପହଂଚିବାର ଆବଶ୍ୟକତା ରହିଛି ।