ନୂଆଦିଲ୍ଲୀ : କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ଯେ ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଅରବିନ୍ଦ କେଜ୍ରିୱାଲ ଏବଂ ଆମ୍ ଆଦମୀ ପାର୍ଟି ଉପରେ ଏକ ଜନମତ ବ୍ୟତୀତ ଆଉ କିଛି ନୁହେଁ। ୨୦୧୫ ଓ ୨୦୨୦ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଶୀର୍ଷରେ ଥିବା ବେଳେ ଆପ୍ ଦିଲ୍ଲୀରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା।

Advertisment

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଦିଲ୍ଲୀ ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀଙ୍କ ନୀତି ଉପରେ ଅନୁମୋଦନର ମୋହର ନୁହେଁ, ବରଂ ଏହି ଜନାଦେଶ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତାରଣା, ଦୋମୁହାଁନୀତି ଏବଂ ସଫଳତାର ଅତିରଞ୍ଜିତ ଦାବିର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛି। ଅରବିନ୍ଦ କେଜ୍ରିୱାଲଙ୍କ ଶାସନ କାଳରେ ଘଟିଥିବା ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାସ କରିବାରେ କଂଗ୍ରେସ ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଆମ୍ ଆଦମୀ ପାର୍ଟିର ୧୨ ବର୍ଷର ଅପଶାସନ ଉପରେ ଦିଲ୍ଲୀର ଭୋଟରମାନେ ରାୟ ଶୁଣାଇଛନ୍ତି।

ସେ କହିଛନ୍ତି, ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିଲା। ତେବେ ଦଳ ନିଜର ଭୋଟ୍ ପ୍ରତିଶତ ବୃଦ୍ଧି କରିଛି। କଂଗ୍ରେସର ନିର୍ବାଚନ ପ୍ରଚାର ଚମତ୍କାର ରହିଥିଲା। ଯଦିଓ ଦଳ ବିଧାନସଭାରେ ବିଜୟ ହାସଲ କରିପାରିନଥିଲା, ତଥାପି ଦିଲ୍ଲୀରେ ଏହାର ଦୃଢ଼ ଉପସ୍ଥିତି ରହିଛି, ଯାହା ଲକ୍ଷ ଲକ୍ଷ କଂଗ୍ରେସ କର୍ମୀଙ୍କ ନିରନ୍ତର ପ୍ରୟାସ ଦ୍ୱାରା ଆହୁରି ସୁଦୃଢ଼ ହେବ। ୨୦୩୦ରେ ଦିଲ୍ଲୀରେ  କଂଗ୍ରେସ ସରକାର ଗଠନ ହେବ ବୋଲି ସେ କହିଛନ୍ତି।