ଛିଡ଼ୁନି ମିଳିତ ମନ୍ତ୍ରିମଣ୍ଡଳର ଅଙ୍କକଷା; କଂଗ୍ରେସ ଭାଗରେ ଉପମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ପଦବି, ବୁଧବାର ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ କୁମାରସ୍ୱାମୀ

କଂଗ୍ରେସର ୨ ଉପମୁଖ୍ୟମନ୍ତ୍ରୀ ପ୍ରସ୍ତବକୁ ଖାରଜ କଲା ଜେଡିଏସ୍‌

ବେଙ୍ଗାଲୁର: କର୍ଣ୍ଣାଟକରେ ନୂତନ କଂଗ୍ରେସ- ଜେଡିଏସ୍‌ ମେଣ୍ଟର ମୁଖ୍ୟମନ୍ତ୍ରୀ ଭାବେ ଏଚ୍‌ଡି କୁମାରସ୍ୱାମୀ ଆସନ୍ତାକାଲି (ବୁଧବାର) ଶପଥ ଗ୍ରହଣ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ମିଳିତ ମନ୍ତ୍ରିମଣ୍ଡଳରେ କାହାର କେତେ ସଂଖ୍ୟକ ମନ୍ତ୍ରୀ ରହିବେ ଏବଂ କେଉଁ ବିଭାଗ କାହା ଅଧୀନରେ ରହିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇପାରି ନାହିଁ। ତେବେ, କଂଗ୍ରେସ- ଜେଡିଏସ୍‌ ମେଣ୍ଟ ସରକାରରେ କଂଗ୍ରେସ ନିଜର ଦୁଇଜଣ ଉପ-ମୁଖ୍ୟମନ୍ତ୍ରୀ ରଖିବାକୁ ଚାହୁଁଥିବା ବେଳେ ଜେଡିଏସ୍‌ କଂଗ୍ରେସର ଏହି ପ୍ରସ୍ତବରେ ରାଜି ହୋଇପାରି ନାହିଁ। ଫଳରେ କଂଗ୍ରେସକୁ ଗୋଟିଏ ଉପ-ମୁଖ୍ୟମନ୍ତ୍ରୀ ପଦ ସହ ବାଚସ୍ପତି ପଦବି ଛାଡ଼ିଦେବା ପାଇଁ ଜେଡିଏସ୍‌ ରାଜି ହୋଇଥିବା ଜାଣିବାକୁ ମିଳିଛି।

ଏଚ୍‌ଡି କୁମାରସ୍ୱାମୀ ଗତକାଲି ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉପଦେଷ୍ଟା ସୋନିଆ ଗାନ୍ଧୀଙ୍କୁ ଭେଟିବା ସହ ଦୀର୍ଘ ଅଧଘଣ୍ଟା କାଳ ସାକ୍ଷାତ ଆଲୋଚନା କରିଥିଲେ ମଧ୍ୟ ସମସ୍ୟା ସମାଧାନର କୌଣସି ସୂତ୍ର ବାହାରି ପାରି ନାହିଁ। ତେବେ, କୁମାରସ୍ୱାମୀଙ୍କୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଉପଦେଷ୍ଟା ସୋନିଆ ଗାନ୍ଧୀ ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟପକ୍ଷରେ, କୁମାରସ୍ୱାମୀ ଆସନ୍ତାକାଲି ତାଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ନହେଲେ ସୁଦ୍ଧା କଂଗ୍ରେସର ଉପ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରନ୍ତୁ ବୋଲି ଚାହୁଁଥିଲେ ସୁଦ୍ଧା ଏ ସଂପର୍କରେ କଂଗ୍ରେସ ନିରବ ରହିଛି।

କାରଣ, କଂଗ୍ରେସର ଉପମୁଖ୍ୟମନ୍ତ୍ରୀ ଦୌଡ଼ରେ ଦଳିତ ନେତା ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ଜି ପରମେଶ୍ୱର ଆଗରେ ରହଛନ୍ତି। ହେଲେ, ସଂଖ୍ୟାଗଷ୍ଠତାର ପ୍ରମାଣ ବେଳେ ୟେଦୁରାପ୍ପାଙ୍କୁ ପରାଜୟର ରାସ୍ତା ଦେଖାଇଥିବା କଂଗ୍ରେସର ଡିକେ ଶିବକୁମାରଙ୍କୁ ପୁରସ୍କୃତ କରିବାକୁ କଂଗ୍ରେସ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ ସୁଦ୍ଧା ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ଏଥିରେ ବାଧକ ସାଜିଛନ୍ତି। କାରଣ, ପୂର୍ବ ଶତ୍ରୁତା କାରଣରୁ ଡିକେ ଶିବକୁମାରଙ୍କୁ ମନ୍ତ୍ରିମଣ୍ଡଳରେ ସୁଦ୍ଧା ସ୍ଥାନ ଦେବା ସପକ୍ଷରେ ନାହାନ୍ତି ଏଚ୍‌ଡି ଦେବେଗୌଡ଼ା।

୨୨୨ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ୩୪ ଜଣ ମନ୍ତ୍ରୀ ରହିପାରିବେ। ତେବେ କଂଗ୍ରେସର ୭୮ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ଭାଗରେ ୨୧ ନା ୨୦, ସେହିପରି ଜେଡିଏସ୍‌ର ୩୮ ଜଣ ବିଧାୟକ ନିବାଚିତ ହୋଇଥିବା ଦୃଷ୍ଟରୁ ଜେଡିଏସ୍‌ ଭାଗରେ ୧୨ ନା ୧୩ ମନ୍ତ୍ରିପଦ ପଡ଼ିବ ସେ ଅଙ୍କ ମଧ୍ୟ ଅଧ୍ୟାବଧି ଛିଡ଼ିପାରି ନଥିବା ଜାଣିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ଯାହା ଜଣାପଡ଼ିଛି, ଆସନ୍ତାକାଲି ବୋଧହୁଏ କେବଳମାତ୍ର ମୁଖ୍ୟମନ୍ତ୍ରୀ ରୂପେ କୁମାରସ୍ୱାମୀ ଶପଥ ଗ୍ରହଣ କରିବେ। କଂଗେସର ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିପରିଷଦର ଅନ୍ୟ ମନ୍ତ୍ରୀମାନେ ବିଧାନସଭାରେ କୁମାରସ୍ୱାମୀଙ୍କ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଓ ବାଚସ୍ପତି ନିର୍ବାଚନ ପରେ ଶପଥ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର