ଆର୍ଥିକ ମା‌ନ୍ଦାବସ୍ଥା ନେଇ ସରକାରଙ୍କୁ ଘେରିବ କଂଗ୍ରେସ : ଦେଶବ୍ୟାପୀ ବିକ୍ଷୋଭ ଯୋଜନା, ପ୍ରସ୍ତୁତି ବୈଠକରେ ଯୋଗ ଦେଲେ ନିରଞ୍ଜନ

ନୂଆଦିଲ୍ଲୀ : ଏଆଇସିସି ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଆଜି ପିସିସି ସଭାପତି, ରାଜ୍ୟ ପ୍ରଭାରୀ, ବିରୋଧୀ ଦଳ ନେତା, ସମ୍ପାଦକ ତଥା ପ୍ରମୁଖ ସଂଗଠନର ମୁଖ୍ୟମାନଙ୍କର ବୈଠକ ହୋଇଥିଲା। ଏହି ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇଥିଲେ। ବୈଠକରେ ଯେଉଁ ସବୁ ରାଜ୍ୟମାନଙ୍କରେ ପୂର୍ବରୁ ଏଆଇସିସି ଦ୍ବାରା ନିର୍ଦ୍ଧାରିତ ଆର୍ଥିକ ମ‌ାନ୍ଦାବସ୍ଥା ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇନଥିଲା ସେସବୁ ରାଜ୍ୟମାନଙ୍କୁ ବିକ୍ଷୋଭ ପ୍ରଦର୍ଶନ ନେଇ ତାରିଖ ସମ୍ପର୍କରେ ଅବଗତ କରାଯାଇଥିଲା। ଓଡ଼ିଶାରେ ଜିଲ୍ଲା ଓ ବ୍ଲକ୍ ସ୍ତରରେ ଚଳିତ ମାସ ୨୦ ରୁ ୨୨ ପର୍ଯ୍ୟନ୍ତ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହିତ ରାଜ୍ୟ ସ୍ତରୀୟ ବିକ୍ଷୋଭ କାର୍ଯ୍ୟକ୍ରମ ଭୁବନେଶ୍ବରରେ ଚଳିତ ମାସ ୨୩ ତାରିଖରେ ଆୟୋଜନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ। କଂଗ୍ରେସ ଦ୍ବାରା ଆର୍ଥିକ ମାନ୍ଦାବସ୍ଥା‌କୁ ନେଇ ଜୋରଦାର୍‌ ପ୍ରତିବାଦ କରାଯିବା ସହିତ ଜନସାଧାରଣକୁ ଏହାର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଅବଗତ କରାଯିବ।

ଆଜିର ବୈଠକରେ ଦିଲ୍ଲୀରେ କଂଗ୍ରେସ ଦ୍ବାରା ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ଏକ ବଡ଼ଧରଣର ରାଲି ଆୟୋଜନ କରାଯିବାର ତାରିଖ ଚୂଡ଼ାନ୍ତ କରାଯାଇଥିଲା। ନଭେମ୍ବର ୩୦ରେ ଦିଲ୍ଲୀ ସ୍ଥିତ ରାମଲୀଳା ମୈଦାନରେ ହେବାକୁଥିବା ବିରାଟ ରାଲିରେ ଦେଶର ସବୁ ରାଜ୍ୟରୁ କଂଗ୍ରେସ ନେତାମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଆର୍ଥିକ ନୀତି ବିରୁଦ୍ଧରେ ତଥା ବିଭିନ୍ନ କ୍ଷେତ୍ରରେ ବିଫଳତାକୁ ନେଇ ସ୍ବର ଉତ୍ତୋଳନ କରିବେ। ସାଧାରଣ ନିର୍ବାଚନ ପରେ କଂଗ୍ରେସର ଏହା ସବୁଠୁ ବଡ଼ ରାଲି ହେବ ବୋଲି କୁହାଯାଉଛି। ପ୍ରସ୍ତାବିତ ରାଲିକୁ ସଫଳ କରିବା ପାଇଁ କଂଗ୍ରେସ ନେତା ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଅଯୋଧ୍ୟା ରାୟ ଯୋଗୁଁ ପୂର୍ବରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ ସ୍ଥିର କରାଯାଇଥିବା ବିକ୍ଷୋଭ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଅଯୋଧ୍ୟା ରାୟ ପାଇଁ ଦେଶର ବିଭିନ୍ନ ଭାଗରେ ୧୪୪ ଧାରା ଜାରି ହୋଇଥିଲା। ଯେଉଁଥିପାଇଁ ନଭେମ୍ବର ୧୦ରୁ ୧୫ ପର୍ଯ୍ୟନ୍ତ ଦେଶର ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତାବିତ ବିକ୍ଷୋଭ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ସ୍ଥଗିତ କରାଯାଇଥିଲା । ଆଜିର ବୈଠକରେ ବିକ୍ଷୋଭ କାର୍ଯ୍ୟକ୍ରମର ତାରିଖ ଧାର୍ଯ୍ୟ କରାଯିବା ସହିତ ଦିଲ୍ଲୀ ରୢାଲିକୁ ସଫଳ କରିବା ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା।

ସମ୍ବନ୍ଧିତ ଖବର