ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଆଦାୟକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ : ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଲଗାଇବାକୁ କଂଗ୍ରେସ ବିରୋଧ କରିବ । ଉଭୟ ସଂସଦରେ ଓ ସଂସଦ ବାହାରେ ଦଳ ପକ୍ଷରୁ ଏହାକୁ ନେଇ ପ୍ରତିବାଦ କରାଯିବ ।

ରାଜ୍ୟସଭାରେ ବିରୋଧୀ ଦଳନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ମଙ୍ଗଳବାରଦିନ ଏହାକୁ ନେଇ ସଂସଦରେ ପ୍ରତିବାଦ କରାଯିବ । ଏହା ସହିତ ସଂସଦ ଭବନ ପରିସରରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତି ଆଗରେ ପ୍ରତିବାଦ କରାଯିବ । ଦରଦାମ ବୃଦ୍ଧି ଓ ଜିଏସଟି ବୃଦ୍ଧି ବିରୋଧରେ ସବୁ ବିରୋଧୀ ଦଳ ଏକାଠି ହେବାକୁ ସେ ଆହ୍ବାନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାରଠାରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଇଛି । ଗତ ମାସରେ ଚଣ୍ଡିଗଡ଼ ହୋଇଥିବା ଜିଏସଟି ପରିଷଦ ବୈଠକରେ ଏସବୁ ସାମଗ୍ରୀ ଉପରେ ଜିଏସଟି ହାର ବଢାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସେସବୁ ସାମଗ୍ରୀ ମଧ୍ୟ ରହିଛି  ମୁଢି, ଚୁଡ଼ା, ପନୀର, ଦହି, ଲସି, ଘୋଳଦହି, ଗୁଡ଼, ଖଇ, ଚାଉଳ, ଗହମ, ଓଟ୍ସ, ବାର୍ଲି, ପଇଡ଼ ପାଣି, ଚାଉଳ ଅଟା, ମହୁ ଇତ୍ୟାଦି । କେବଳ ପଇଡ଼ ପାଣିକୁ ଛାଡ଼ି ଅନ୍ୟ ଖାଦ୍ୟ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ପଇଡ ପାଣି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ।

କେବଳ ଏତିକି ନୁହେଁ, ଏଲଇଡି ବଲବ୍, ଛୁରୀ, ପେନସିଲ ସାର୍ପେନର, ସୋଲାର ଓ୍ବାଟର ହିଟର, ମାନଚିତ୍ର,ହସପିଟାଲ ରୁମ ଭଡ଼ା, ଗ୍ରାଇଣ୍ଡର ଇତ୍ୟାଦି ମଧ୍ୟ ମହଙ୍ଗା ହେବ ।

 

 

ସମ୍ବନ୍ଧିତ ଖବର