୩ ରାଜ୍ୟରେ କଂଗ୍ରେସ ରାଜ୍‌:ଶପଥ ନେଲେ ବାଘେଲ, କମଲନାଥ, ଗେହଲଟ୍‌

ଶକ୍ତି ପ୍ରଦର୍ଶନ କଲେ ବି‌ରୋଧୀ

ଜୟପୁର/ଭୋପାଳ/ରାୟପୁର: ୩ଟି ରାଜ୍ୟରେ ଆଜିଠାରୁ କଂଗ୍ରେସ ରାଜ୍‌ ଆରମ୍ଭ ହୋଇଛି। ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ଶାସନ ଡୋରି ହାତକୁ ନେଇଛି। ଆଜି ଏହି ୩ଟି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଜଣକ ପରେ ଜଣେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ପ୍ରଥମେ ରାଜସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ ରାଜ୍ୟ ରାଜଧାନୀ ଜୟପୁରର ଆଲ୍‌ବର୍ଟ ହଲ୍‌ ଗ୍ରାଉଣ୍ଡ୍‌ଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଥିଲେ। ଏହାର କିଛି ଘଣ୍ଟା ପରେ ବରିଷ୍ଠ କଂଗ୍ରେସ ନେତା କମଲନାଥ ଭୋପାଳର ଜମ୍ବୁରି ମଇଦାନରେ ମଧ୍ୟ ପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହିଭଳି ଭୂପେଶ ବାଘେଲ୍‌ ଅପରାହ୍ନ ୪ଟା ୩୦ରେ ରାୟପୁରର ସାଇନ୍ସ କଲେଜ ଗ୍ରାଉଣ୍ଡରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ସମସ୍ତ ୩ଟିଯାକ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ନୂଆ ମୁଖ୍ୟମନ୍ତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ଆଜି ସମସ୍ତ ବିରୋଧୀ ଏକା‌ଠି ହୋଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବେଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ବାମୀ, ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, ଆର୍‌ଜେଡି ନେତା ତେଜସ୍ବୀ ଯାଦବ, ଲୋକତାନ୍ତ୍ରିକ ଜନତା ଦଳ ମୁଖ୍ୟ ଶରଦ ଯାଦବ, ଏନ୍‌ସିପି ନେତା ଶରଦ ପାୱାର ପ୍ରମୁଖ ଯୋଗଦେଇଥିଲେ। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ବିଏସ୍‌ପି ସୁପ୍ରି‌ମୋ ମାୟାବତୀ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ଏହି ଉତ୍ସବରେ ଦେଖିବାକୁ ମିଳିନଥିଲା।
ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ୩ଟି ରାଜ୍ୟରେ ବିଜୟ ହାସଲ କରିନେଇଛି। ଅନ୍ୟପକ୍ଷରେ ଏହି ୩ଟି ରାଜ୍ୟରେ ବିଜେପି ସରକାରର ପତନ ଘଟିଛି। ରାଜସ୍ଥାନରେ କଂଗ୍ରେସ ୯୯ ଆସନ ପାଇଥିଲା ବେଳେ ବିଜେପି ୭୩ରେ ସୀମିତ ରହିଥିଲା। ସେହିଭଳି ୨୩୦ ଆସନବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭାରେ କଂଗ୍ରେସ ଏକାକୀ ୧୧୪ ଆସନ ହାସଲ କରିଥିଲା ବେଳେ ବିଜେପି ୧୦୯ଟି ପାଇଥିଲା। ସେହିଭଳି ଛତିଶଗଡ଼ରେ କଂଗ୍ରେସ ୯୦ ଆସନ ମଧ୍ୟରୁ ୬୮ଟି ହାସଲ କରି ରାଜ୍ୟରେ ସରକାର ଗଢ଼ିବାକୁ ସମର୍ଥ ହୋଇଛି। ବିଜେପି ଏହି ରାଜ୍ୟରେ ମାତ୍ର ୧୫ ଆସନରେ ସନ୍ତୁଷ୍ଟ ହୋଇଛି। ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପି ଗତ ୧୫ ବର୍ଷ ଧରି ଶାସନ କରିଆସୁଥିଲା ରଖିଥିଲା।

ଭୋପାଳ,: ଆଗାମୀ ‌୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳଗୁଡ଼ିକ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି। ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ୩ ଜଣ ବରିଷ୍ଠ ନେତା ଆଜି ଶପଥ ପାଠ କରିଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ‌ରେ ବି‌ରୋଧୀମାନେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ହରାଇ କଂଗ୍ରେସ କ୍ଷମତାକୁ ଆସିଥିବାରୁ ଦଳ ଉପରେ ଅନ୍ୟ ବି‌ରୋଧୀ ଦଳଗୁଡ଼ିକ ଭରସା ବଢ଼ିଥିବା ଦେଖିବାକୁ ମିଳିଛି। ତେଣୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ କଂଗ୍ରେସ ପଠାଇଥିବା ନିମନ୍ତ୍ରଣକୁ ଗ୍ରହଣ କରି ଆଜି ଅଧିକାଂଶ ବି‌ରୋଧୀ ଦଳ ନେତା ସାମିଲ ହୋଇଛନ୍ତି।
ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ବିରୋଧୀମାନଙ୍କୁ ଏକାଠି କରାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ତେବେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏସ୍‌ପି ସୁପ୍ରିମୋ ମାୟାବତୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଯୋଗନଦେଇ ସେମାନଙ୍କ ପ୍ରତିନିଧି ପଠାଇଥିବା ସୂଚନା ମିଳିଛି।
ଜୟପୁରର ଆଲ୍‌ବର୍ଟ ହଲ୍‌ରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ବିରୋଧୀ ଦଳ ନେତାମାନେ ରାହୁଲଙ୍କ ସହିତ ବସ୍‌ରେ ଭ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ରାହୁଲଙ୍କ ଟ୍ବିଟର୍‌ରେ ମଧ୍ୟ ଏହାର ଏକ ଫଟୋ ପୋଷ୍ଟ କରାଯାଇଛି।

 

ସମ୍ବନ୍ଧିତ ଖବର