ଖାକି ପ୍ୟାଣ୍ଟରେ ନିଆଁଲଗା ଫଟୋ ପୋଷ୍ଟ୍‌ କଲା କଂଗ୍ରେସ: ବିଜେପିର ତୀବ୍ର ପ୍ରତିକ୍ରିୟା‌

କଂଗ୍ରେସର ‘ଆଗ୍‌ ଲଗାଓ ଯାତ୍ରା’

ନୂଆଦିଲ୍ଲୀ : ଆରଏସ୍‌ଏସ୍‌ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ)ର ୟୁନିଫର୍ମ ଭଳି ଦେଖାଯାଉଥିବା ଖାକି ପ୍ୟାଣ୍ଟରେ ନିଆଁ ଲାଗିଥିବା ଏବଂ ଧୂଆଁ ବାହାରୁଥିବାର ଫଟୋକୁ କଂଗ୍ରେସ ଆଜି ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛି। ଉକ୍ତ ଫଟୋ ଟ୍ବିଟ କରି କଂଗ୍ରେସ ଲେଖିଛି ଦେଶକୁ ଘୃଣା ବଳୟରୁ ଏବଂ ବିଜେପି-ଆରଏସ୍‌ଏସ୍‌ର କ୍ଷତିରୁ ବଞ୍ଚାଇବାପାଇଁ ଆମେ ପାହାଚ ପରେ ପାହାଚ ଆମର ଲକ୍ଷ୍ୟରେ ପହଞ୍ଚି ପାରିବୁ। ନିଆଁଲଗା ଖାକି ପ୍ୟାଣ୍ଟ ଫଟୋ ତଳେ କଂଗ୍ରେସ ପୋଷ୍ଟରେ ଲେଖାଯାଇଛି ଆଉ ୧୪୫ ଦିନ ବାକି ଅଛି। ତେବେ ବିଜେପି ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଟ୍ବିଟ୍‌ କରି କହିଛନ୍ତି, ଏହା ‘ଭାରତ ଯୋଡ଼ୋ ଯାତ୍ରା’ ନୁ‌‌ହେଁ ବରଂ ଏହା ‘ଭାରତ ‌ତୋଡ଼ୋ’ ଏବଂ ‘ଆଗ୍‌ ଲଗାଓ ଯାତ୍ରା’। ଶ୍ରୀ ପାତ୍ର କହିଛନ୍ତି, ରାହୁଲ ଗାନ୍ଧି କ’ଣ ଦେଶରେ ହିଂସା ଚାହୁଛନ୍ତି। କଂଗ୍ରେସ ତୁରନ୍ତ ଏହି ଗ୍ରାଫିକ୍ସ ହଟାଉ ବୋଲି ପାତ୍ର ମତ ଦେଇଛନ୍ତି। ଇତି ମଧ୍ୟରେ ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଏକ ଶକ୍ତ ଏବଂ ସୁଦୃଢ଼ କଂଗ୍ରେସ ଦଳ ହେଉଛି ବିରୋଧୀ ଏକତାର ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ ଏବଂ ଏହାର ସହଯୋଗୀମାନେ ଦଳକୁ ଭଲଭାବେ ବୁଝିବା ଉଚିତ। ଏଆଇସିସି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଜୟରାମ ରମେଶ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’ ଦଳୀୟ ସଂଗଠନରେ ଏକ ନୂଆ ଶକ୍ତି ସଞ୍ଚାର କରିଛି ଏବଂ ଦଳକୁ ଲୋକମାନଙ୍କଠାରୁ ଯେଉଁ ଭଲ ପାଇବା ମିଳୁଛି ବିଜେପି ସେଥିରେ ଭୟଭୀତ ହୋଇଯାଉଛି ବୋଲି ରମେଶ କହିଛନ୍ତି।

ସମ୍ବନ୍ଧିତ ଖବର