ବେଙ୍ଗାଲୁରୁ: କଂଗ୍ରେସ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ନିଷିଦ୍ଧ ଘୋଷଣା କରାଇବାକୁ ଚାହୁଁଛି କିନ୍ତୁ, ମୋଦୀଜୀଙ୍କ ଉପରେ ‘ବିବିସି’ ନିର୍ମାଣ କରିଥିବା ଚଳଚ୍ଚିତ୍ରକୁ ନିଷିଦ୍ଧ ଘୋଷଣା କରାଇବାକୁ ଚାହୁଁ ନାହିଁ ବୋଲି ଶୁକ୍ରବାର ଦିନ କର୍ଣ୍ଣାଟକରେ ଆୟୋଜିତ ନିର୍ବାଚନୀ ରାଲିରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି।

Advertisment

ସେ କହିଛନ୍ତି, ଅନେକ ପ୍ରସଙ୍ଗ ପ୍ରକାଶ କରିଥିବା ‘ଦି କେରଳ ଷ୍ଟୋରି’ ନାମରେ ନୂଆ ଚଳଚ୍ଚିତ୍ରଟିଏ ଆସିଛି। ମୋଦୀଜୀଙ୍କ ଉପରେ ମିଥ୍ୟା ଆରୋପ କରି ‘ବିବିସି’ ନିର୍ମାଣ କରିଥିବା ଚଳଚ୍ଚିତ୍ରକୁ କଂଗ୍ରେସ ସମର୍ଥନ କଲା। କିନ୍ତୁ, ଆଜି ସେହି କଂଗ୍ରେସ ‘ଦି କେରଳ ଷ୍ଟୋରି’ ନିଷିଦ୍ଧ କରାଇବାକୁ ଚାହୁଁଛି।

ଭୋଟ୍‌ ପାଇ କ୍ଷମତାସୀନ ହେଲେ ବଜରଙ୍ଗ ଦଳକୁ ନିଷିଦ୍ଧ କରିବେ ବୋଲି ଉଲ୍ଲେଖ ଥିବା କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରସଙ୍ଗରେ ଶର୍ମା କହିଛନ୍ତି, ବଜରଙ୍ଗ ଦଳ କ’ଣ ବ‌ୋମା ବିସ୍ଫୋରଣ କରୁଛି? ନା। ଆପଣ ବଜରଙ୍ଗ ଦଳକୁ ନିଷିଦ୍ଧ କରିବେ କେମିତି? ‘ପିଏଫ୍‌ଆଇ’ ସହିତ ଆପଣଙ୍କର କି ବନ୍ଧୁତ୍ବ ଅଛି ଯେ, ଆପଣ ସେମାନଙ୍କର ମୁଖପାତ୍ର ଭଳି ଆଚରଣ କରୁଛନ୍ତି?

publive-image Image Courtesy of ABP

ରାହୁଲ୍‌ ଗାନ୍ଧୀଙ୍କର ଗ୍ୟାରେଣ୍ଟି ନ ଥିବାରୁ କଂଗ୍ରେସ କ‌ୌଣସି ଗ୍ୟାରେଣ୍ଟି ଦେଇ ପାରିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ସେହିପରି, ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କର୍ଣ୍ଣାଟକରେ କହିଥିଲେ, କଠିନ ପରିଶ୍ରମୀ ଓ ପ୍ରତିଭାବାନ୍‌ ଜନତା ଥିବା ଦେଶର ଗୋଟାଏ ଚମତ୍କାର ରାଜ୍ୟ। ସେ ରାଜ୍ୟରେ ଚାଲିଥିବା ଆତଙ୍କବାଦ ଷଡ଼ଯନ୍ତ୍ରକୁ ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ର ପରିପ୍ରକାଶ କରିଛି। ଦେଶକୁ ଧ୍ବଂସ କରିବାକୁ ଚାହୁଁଥିବା ଆତଙ୍କବାଦ ଧାରାକୁ କଂଗ୍ରେସ ସମର୍ଥନ କରିବା ଦୁଃଖର ବିଷୟ। ଆତଙ୍କବାଦ ସହିତ ଯୋଗସୂତ୍ର ଥିବା ଜନତାଙ୍କ ସହିତ ମଧ୍ୟ କଂଗ୍ରେସ ଗୁପ୍ତରେ ରାଜିନାମା କରୁଛି। ତେଣୁ, କର୍ଣ୍ଣାଟକବାସୀ କଂଗ୍ରେସ ପ୍ରତି ହୁସିଆର ରହିବା ଉଚିତ।

publive-image Image Courtesy of The Economic Times

ଶୁକ୍ରବାର ଦିନ ରିଲିଜ୍‌ ହୋଇଥିବା ‘ଦି କେରଳ ଷ୍ଟୋରି’ ଚଳଚ୍ଚିତ୍ରକୁ ‘ବିଜେପି’ କର୍ମୀମାନେ ବହୁ ସ୍ଥାନରେ ସ୍ବତନ୍ତ୍ର ପ୍ରଦର୍ଶନ କରାଇବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଛି। ରିଲିଜ୍‌ ହେବା ପୂର୍ବରୁ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ ଉକ୍ତ ଚଳଚ୍ଚିତ୍ରକୁ ସମାଲୋଚନା କରି କହିଥିଲେ ଯେ, ଏହା ସଂଘର ପ୍ରଚାର। କଂଗ୍ରେସ ମଧ୍ୟ ଏହି ଚଳଚ୍ଚିତ୍ରକୁ ଅତିରଞ୍ଜିତ ବୋଲି କହି ସମାଲୋଚନା କରିଥିଲା।