ବୋଫର୍ସ ବନାମ ରାଫେଲ:ପ୍ରତିଶୋଧ ଚାହୁଛି କଂଗ୍ରେସ

୨୦୧୯ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହେବ

ନୂଆଦିଲ୍ଲୀ: ୧୯୮୭ରେ ଲୋକଲୋଚନକୁ ଆସିଥିବା ବୋଫର୍ସ ଦୁର୍ନୀତି ଭାରତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭାବମୂର୍ତ୍ତି ପାଇଁ ଏହା ବିରାଟ ଧକ୍କା ହୋଇଥିଲା। ବୋଫର୍ସ ଦୁର୍ନୀତି ନେଇ ରାଜୀବ ସରକାର ବିରୋଧରେ ବିରୋଧୀ ଦଳ ଜୋର୍‌ଦାର ହମ୍‌୍‌ଲା କରିଥିଲେ ଏବଂ ୧୯୮୯ ନିର୍ବାଚନରେ ଏହା ବଡ଼ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା। ରାଜୀବ ସରକାର ଏହି ନିର୍ବାଚନରେ ହାରିବା ପଛରେ ବୋଫର୍ସ ଦୁର୍ନୀତି ଅନ୍ୟତମ ମୁଖ୍ୟ କାରଣ ରହିଥିଲା। ଏବେ ୩୦ ବର୍ଷ ପରେ କଂଗ୍ରେସ ଦଳ ରାଫେଲ କ୍ରୟ ଚୁକ୍ତିକୁ ଅସ୍ତ୍ର କରି ଏନ୍‌୍‌ଡିଏ ସରକାରକୁ ଘେରିବାକୁ ଚାହୁଛି ଏବଂ ବୋଫର୍ସର ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରୁଛି। ୨୦୧୯ ସାଧାରଣ ନିର୍ବାଚନରେ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଚୁକ୍ତି ନେଇ ଦେଇଥିବା ଅଭିଯୋଗପୂର୍ଣ୍ଣ ବୟାନର ଛୋଟ ଛୋଟ ଭିଡିଓ କ୍ଲିପ୍‌ ଭାଇରାଲ କରାଯାଇଛି। ବିଭିନ୍ନ ଭାଷାରେ ଏହାକୁ ଅନୁବାଦ କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ହେଉଛି। ସଂସଦରେ ମଧ୍ୟ ଏହାକୁ ନେଇ ଏନ୍‌ଡିଏ ସରକାର ଏବଂ ପ୍ରଧାନମନ୍ତ୍ରୀ ଘେରିବାକୁ କଂଗ୍ରେସ କୌଣସି ସୁଯୋଗ ହାତଛଡ଼ା କରିନାହିଁ।
ଭାରତୀୟ ବାୟୁସେନା ଆସନ୍ତା ବର୍ଷ ସେପ୍ଟେମ୍ବରରେ ଏହାର ପ୍ରଥମ ରାଫେଲ୍‌ ଯୁଦ୍ଧ ବିମାନ ହାସଲ କରିବ। ସେହିଭଳି ୨୦୨୨ ଏପ୍ରିଲ୍‌ ସୁଦ୍ଧା ବାୟୁସେନାରେ ସମସ୍ତ ୩୬ଟି ଯାକ ରାଫେଲ୍‌ ଯୁଦ୍ଧ ବିମାନ ସାମିଲ ହେବ। ରାଜ୍ୟସଭାରେ ଆଜି ଏକ ଲିଖିତ ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ ଏହି ବିମାନରେ ସମସ୍ତ ଆବଶ୍ୟକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ମଧ୍ୟ ଆସିବ। ୨୦୧୯ ସେପ୍ଟେମ୍ବରରେ ଏହାର ଯୋଗାଣ ଆରମ୍ଭ ହେବ ଏବଂ ୨୦୨୨ ଏପ୍ରିଲ୍‌ରେ ଏହା ସମ୍ପନ୍ନ ହେବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପ୍ରକଳ୍ପ ଅଗ୍ରଗତି କରୁଛି। ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ତରଫରୁ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସୀତାରମଣ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ରେ ପ୍ୟାରିସ୍‌ ଗସ୍ତରେ ଯାଇ ସେଠାକାର ସରକାରଙ୍କ ସହିତ ରାଫେଲ୍‌ ଚୁକ୍ତି କରିଥିଲେ। ମୋଟ ୩୬ଟି ଯୁଦ୍ଧ ବିମାନ ଆଣିବା ନେଇ ରାଜିନାମା ହୋଇଥିଲା। ୫୮,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଏଗୁଡ଼ିକୁ ଖରିଦ କରିବ। ରାଫେଲ୍‌ ଚୁକ୍ତିକୁ ନେଇ ଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ମୋଦୀ ସରକାର ରାଫେଲ୍‌ ଚୁକ୍ତିର ପ୍ରକୃତ ମୂଲ୍ୟ ଲୁଚାଉଛି ବୋଲି କଂଗ୍ରେସ ଅଭିଯୋଗ କରିଆସୁଛି।

ସମ୍ବନ୍ଧିତ ଖବର