ଓଡ଼ିଶାରୁ ନବୀନ ଓ ଦିଲ୍ଲୀରୁ ମୋଦିଙ୍କୁ ହଟାଇବା ଆମର ଲକ୍ଷ୍ୟ; କ୍ଷମତାକୁ ଆସିଲେ କୃଷକଙ୍କ ଋଣଛାଡ଼ କରିବୁ : ରାହୁଲ ଗାନ୍ଧି

ଭୁବନେଶ୍ୱର: ଭୁବନେଶ୍ୱରର ତମାଣ୍ଡୋ ମିନି ଷ୍ଟାଡିୟମ ପଡ଼ିଆରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିବା ସହ କଂଗ୍ରେସ ଓଡ଼ିଶାରେ ସରକାର ଗଠନ କଲେ କ’ଣ କରିବ ତାହା ଦର୍ଶାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିଶାଳ ଜନସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି ଓଡ଼ିଶାରେ କଂଗ୍ରେସ ସରକାର ଆସେ ତେବେ ୧୦ଦିନ ମଧ୍ୟରେ କୃଷକଙ୍କ ଋଣଛାଡ କରାଯିବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୬୦୦ଟଙ୍କା କରାଯିବ। ପ୍ରତି ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରାଯିବ। ଏଥିସହ ସେ ଓଡ଼ିଶାର ଯୁବକମାନଙ୍କୁ ଆଉ ରୋଜଗାର ଲାଗି ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ  ଏବଂ ଓଡ଼ିଶାର ଯୁବପିଢ଼ିଙ୍କୁ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ କର୍ମଯୋଗାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି।

କଂଗ୍ରେସର କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ। ଗତ ୧୫ ବର୍ଷ ଭିତରେ ନବୀନ କୌଣସି ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛନ୍ତି କି ବୋଲି ପ୍ରଶ୍ନ କରିବା ସହ ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ପ୍ରଦେଶ ଗରିବ ନୁହେଁ, କିନ୍ତୁ ଓଡ଼ିଶାର ଲୋକେ ଗରିବ। ଓଡ଼ିଶା ଲୋକଙ୍କର ଜଳ-ଜମି-ଜଙ୍ଗଲ ଓ ପ୍ରାକୃତିକ ସଂପଦ ରହିଛି ମାତ୍ର ଏସବୁ ତାଙ୍କଠାରୁ ୧୫-୨୦ଜଣ ଶିଳ୍ପପତି ଛଡାଇ ନେଇଛନ୍ତି। ଓଡ଼ିଶାବାସୀଙ୍କୁ ବାରମ୍ବାର ମିଛ କଥା କହି ବିଜେଡି ସରକାରକୁ ଆସୁଛି ବୋଲି ସେ ଅଭିଯୋଗ କରିଥିଲେ।

ନିଜର ଅଭିଭାଷଣର ଶେଷ ଆଡକୁ ରାହୁଲ ସ୍ପଷ୍ଟ ଭାବେ ଓଡ଼ିଶାରୁ ନବୀନଙ୍କୁ ଓ ଦିଲ୍ଲୀରୁ ମୋଦିଙ୍କୁ ହଟାଇବାକୁ ଆହ୍ଵାନ ଦେଇଥିଲେ। ଓଡ଼ିଶାରେ ପ୍ରଶାସନିକ ଅଧିକାରୀଙ୍କ ସରକାର ବଦଳରେ ଜନତାର ସରକାର ଗଢ଼ିବା ତାଙ୍କର ଲକ୍ଷ୍ୟ ଓ ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ ବୋଲି ସେ ଘୋଷଣା କରିଥିଲେ।

ଏହି ପରିବର୍ତ୍ତନ ସଂକଳ୍ପ ସମାବେଶରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଜନସଭାକୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧିତ ଖବର